ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିୟାମକରେ ସମାନତା ନେଇ ୟୁଜିସି ବିଜ୍ଞପ୍ତି ଉପରେ ରୋକ। ୟୁଜିସି ବିଜ୍ଞପ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ଏହା ସହ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଦେଇଛନ୍ତି ନୋଟିସ। ୨୦୧୨ ନିୟମକୁ କାଏମ ରଖିବାରୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ୟୁଜିସି ନୂଆ ନିୟମର ବୈଧତା ଯାଞ୍ଚ କରିବାକୁ ବି କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କ୍ୟାମ୍ପସରେ ଜାତିଭିତ୍ତିକ ପାତର ଅନ୍ତର ନୀତିକୁ ଦୂରେଇବା ଲାଗି ଏହି ନିୟାମକ ଆସିଥିବାବେଳେ ଏହାକୁ ବିଭିନ୍ନ ମହଲରୁ କରାଯାଇଥିଲା ବିରୋଧ।
ତେବେ ଦେଶରେ ଏହି ପାତରଅନ୍ତର ନୀତି ବିରୋଧରେ କଣ ଆଇନ, କୋର୍ଟ ନିର୍ଦ୍ଦେଶ, ପ୍ରତିଷ୍ଠାନଗତ ନିୟମ ନାହିଁ କି ବୋଲି ବିଭିନ୍ନ ମହଲ ଉଠାଇଥିଲେ ପ୍ରଶ୍ନ। ଜାତିଭିତ୍ତିକ ପାତର ଅନ୍ତର ବିରୋଧରେ ଦେଶରେ ଅନେକ ପ୍ରକାର ଆଇନଗତ ଫ୍ରେମୱର୍କ ରହିଛି। ସମ୍ବିଧାନର ଧାରା ୧୪, ୧୫ ଓ ୧୭ରେ ବି ଆଇନ ଆଗରେ ସମସ୍ତେ ସମାନ ବୋଲି ଗ୍ୟାରେଣ୍ଟି ରହିଛି। ସମସ୍ତ ପ୍ରତିଷ୍ଠାନ ଓ ବିଶ୍ବବିଦ୍ୟାଳୟ ଲାଗି ବି ଏହା ପ୍ରଯୁଜ୍ୟ ରହିଛି। ଏହା ବାଦ ଏସସି/ଏସଟି ନିର୍ଯାତନା ନିରାକରଣ ଆଇନ ବି ରହିଛି। ପାତର ଅନ୍ତର ବିରୋଧରେ ବି ସୁପ୍ରିମକୋର୍ଟ ବାରମ୍ବାର ଗୁରୁତ୍ବ ପ୍ରଦାନ କରିଛନ୍ତି। ଏପରିକି ଅନେକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସମାନ ସୁଯୋଗ ପ୍ରଦାନ ନିମନ୍ତେ ସେଲ୍ ରହିଛି।
ସେପଟେ ନୂଆ ୟୁଜିସି ନିର୍ଦ୍ଦେଶନାମା ପ୍ରତିଷ୍ଠାନଗୁଡିକୁ ସ୍ବୀକୃତି ଓ ପାଣ୍ଠି ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ବିରୋଧୀ ଯୁକ୍ତି କରୁଛନ୍ତି। ନୂଆ ୟୁଜିସି ନୀତି ଦେଶର ସମସ୍ତ କେନ୍ଦ୍ରୀୟ, ରାଜ୍ୟ, ଘରୋଇ ଓ ଡିମଡ ବିଶ୍ବବିଦ୍ୟାଳୟ ପାଇଁ ଲାଗୁ ହେବ। ୟୁଜିସିର ଏହି ନୂଆ ନୀତିକୁ ସାରା ଦେଶରେ ବିରୋଧ କରାଯାଇଛି। ବିରୋଧୀଙ୍କ ଯୁକ୍ତି ହେଉଛି- ଏହି ନୀତି ଯୋଗୁ ଏସସି, ଏସଟି, ଓବିସି ବର୍ଗଙ୍କୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ। ଏଥିରୁ ସାଧାରଣ ଓ ଉଚ୍ଚଜାତି ବର୍ଗ ତଥା ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯିବ। ମିଥ୍ୟା ଅଭିଯୋଗ ଦାଖଲ କ୍ଷେତ୍ରରେ ଜରିମାନା ବ୍ୟବସ୍ଥା ନଥିବାରୁ ଏହାର ଅପବ୍ୟବହାର ହେବା ଆଶଙ୍କା ରହିଛି। ବିଭିନ୍ନ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧରେ ଏହା ଉଦ୍ଦିଷ୍ଟ ବୋଲି ବିରୋଧୀ ଯୁକ୍ତି କରୁଛନ୍ତି। ସେହିପରି ଇକ୍ୟୁଟି କମିଟି, ଇକ୍ବାଲ ଅପୁର୍ଚିନିଟ ସେଣ୍ଟର ଓ ଇକ୍ୟୁଟି ଆମ୍ବାସାଡର ସୃଷ୍ଟି ବ୍ୟବସ୍ଥା ବି ପ୍ରତିଷ୍ଠାନରେ ଅଶାନ୍ତି ସୃଷ୍ଟି କରିବ।

