ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଥାନାରେ ଏତଲା । ଏତଲାର ତିନି ଦିନ ପରେ ବି ପୋଲିସ ଚୁପ । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି । ଦଶପଲ୍ଲା ସଲାଣ୍ଡ ଗାଁରେ ବିଜେପିର ଦଶପଲ୍ଲା ପ୍ରାର୍ଥୀ ରାଘବ ମଲ୍ଲିକ ଜଣେ ଦଳିତ ମହିଳାଙ୍କୁ ଗତ ଡିସେମ୍ବର ୧୫ ତାରିଖରେ ଅପହରଣ କରିଥିଲେ । ତା’ପରେ ଛାଡି ଦେଲେ । ବିଭିନ୍ନ ସମୟରେ ରାତିରେ ଫୋନ କରି ଚାଲିଲେ । ସବୁ ସୀମା ଲଂଘନ କରି ଡିସେମ୍ବର ୨୯ ରେ ଛୁଆ ସହ ମାଆକୁ ଅପହରଣ କରି ନେଲେ । ଏବେ ମହିଳାଙ୍କ ପତ୍ତା ମିଳୁନି ।
ମହିଳାଙ୍କ ସ୍ୱାମୀଙ୍କୁ ବି ଜୀବନରୁ ମାରିବାକୁ ଧମକ ଆସୁଥିଲା । ହେଲେ ସେ ସାହସ ଜୁଟାଇ ଏତଲା ଦେଲେ । ଏହା ପରେ ରାଘବ ମଲ୍ଲିକ ପୁଣି ଜୀବନରୁ ମାରିବାକୁ ଧମକ ଦେଉଛନ୍ତି । ବିଜେପି ପ୍ରାର୍ଥୀ ବୋଲି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ରମେଶ ବେହେରା । ମହିଳାଙ୍କ ସ୍ବାମୀ ସନ୍ଦେହ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ଓ ପିଲାକୁ ହତ୍ୟା କରିଦିଆଯାଇଛି । ରାଜ୍ୟରେ ମହିଳା ବିରୋଧୀ ଅତ୍ୟାଚାର ବଢିଚାଲିଛି । ଜଣେ ସରକାରୀ ଦଳର ନେତାଙ୍କ ବିରୋଧରେ ଆକ୍ସନ ନାହିଁ । ତେଣୁ ରାଘବ ମଲ୍ଲିକଙ୍କ ଗିରଫଦାରୀ ଦାବି କରୁଛନ୍ତି ବିଧାୟକ ରମେଶ ବେହେରା । ଆଜି ବିଜେପିର ରାଜ୍ୟସ୍ତରୀୟ ବୈଠକ ଚାଲିଛି । ସେଠି ରାଘବ ମଲ୍ଲିକ ଥାଇପାରନ୍ତି । ସେଠାରୁ ତାଙ୍କୁ ଗିରଫ କରାଯାଉ । ନହେଲେ ଆଗାମୀ ଦିନରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ତେବେ ବାଣିଗୋଚ୍ଛା ଥାନାରେ ପୀଡିତାଙ୍କ ସ୍ବାମୀ ଦେଇଥିବା ଏତଲା ଅନୁସାରେ ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ମିଛ ପ୍ରଲୋଭନ ଦେଖାଇ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ପ୍ରେମ ଜାଲରେ ଫସାଇଥିଲେ । ବାରମ୍ବାର ସଂପର୍କ ବି ରଖିଥିଲେ । ତେବେ ଚାକିରି ଏକ ମିଛ ପ୍ରତିଶୃତି ବୋଲି ଜାଣିବା ପରେ ପୀଡିତା ରାଘବଙ୍କଠାରୁ ଦୂରେଇବାରୁ ରାଘବ ଆପତ୍ତିଜନକ ଭିଡିଓ, ଅଡିଓ ଏବଂ ଫଟୋ ଦେଖାଇ ଧମକଚମକ ଦେଉଥିଲେ । ଶେଷରେ ପୀଡିତା ଜଣକ ସ୍ବାମୀଙ୍କୁ ସବୁ କହିବାରୁ ସେ ରାଘବକୁ ରୋକିବାକୁ ପ୍ରୟାସ କରି ଫେଲ ହୋଇଥିଲେ । ଓଲଟା ସ୍ବାମୀଙ୍କୁ ହତ୍ୟା ଧମକ ଦେଇଥିଲେ ରାଘବ । ଏହାପରେ ଅନ୍ଯ ଉପାୟ ନପାଇ ସ୍ବାମୀ ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ। ବାଣିଗୋଚ୍ଛା ଥାନା ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖବର ପ୍ରଘଟ ହେବା ପରେ ବିଜେପି ନେତା ରାଘବ ମଲ୍ଲିକ ଫେରାର ଅଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେଡି ବିଧାୟକ ଦାବି କରିଛନ୍ତି ।

