ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ ଶିବମ୍ ଦୁବେ ଶାନଦାର ପ୍ରଦର୍ଶନ କରିଥିଲେ । ଦୁବେ ମାତ୍ର ୨୩ଟି ବଲ ଖେଳି ୬୫ ରନର ଇନିଂସ ଖେଳିଥିଲେ । ସେଥିରେ ୭ଟି ଛକା ସାମିଲ ଥିଲା । ତେବେ ଏହା ମଧ୍ୟରେ ଦୁବେ ନିଜର ତୁଫାନୀ ବ୍ୟାଟିଂର ରହସ୍ୟ ଉନ୍ମୋଚନ କରିଛନ୍ତି । ଉକ୍ତ ମ୍ୟାଚରେ ଯଦିଓ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା, ତେବେ ଦୁବେଙ୍କ ବିଧ୍ବଂସୀ ବ୍ୟାଟିଂ ସଭିଙ୍କୁ ଚକିତ କରିଦେଇଥିଲା । ଏହି ବାମହାତୀ ବ୍ୟାଟ୍ସମ୍ୟାନ ମାତ୍ର ୧୫ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ । ଉକ୍ତ ଇନିଂସ ପାଇଁ ଦୁବେଙ୍କୁ ‘ଦାନବ’ର ଟ୍ୟାଗ ମିଳିଥିଲା ।
ରାଜସ୍ଥାନ ରୟାଲ୍ସ ଦୁବେଙ୍କ ବ୍ୟାଟିଂକୁ ଦେଖି ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଥିଲା, ‘ନୂଆ ପିଚ, ନୂଆ ଦାନବ’ । ଶିବମ ଏହି ଶାନଦାର ପ୍ରଦର୍ଶନ ପଛର ରହସ୍ୟ ଖୋଲି କହିଛନ୍ତି । ତାହା ହେଉଛି କଠିନ ପରିଶ୍ରମ ଓ କୋଚ ଗୌତମ ଗମ୍ଭୀର-ସୂର୍ଯ୍ୟକୁମାର ଯାଦବଙ୍କ ତାଙ୍କ ଉପରେ ଭରସା । ଲଗାତର ମ୍ୟାଚ ଖେଳିବା ଓ ବ୍ୟାଟିଂ କରିବା କାରଣରୁ ତାଙ୍କର ମାନସିକତା ମଜବୁତ ହୋଇଥିବା ଦୁବେ କହିଛନ୍ତି । କ’ଣ ହେବାକୁ ଯାଉଛି ତାହା ସେ ଜାଣିପାରିଥିଲେ । ବୋଲର ତାଙ୍କ ବିପକ୍ଷରେ କ’ଣ କରିପାରେ ତାହା ସେ ଜାଣିପାରିଛନ୍ତି ବୋଲି କହିଛନ୍ତି । ଯେବେଠାରୁ ସେ ବୋଲିଂ କରିଛନ୍ତି, ସେହି କାରଣରୁ ତାଙ୍କର ବ୍ୟାଟିଂରେ ସୁଧାର ଆସିଥିବା କହିଛନ୍ତି । ସେ ଏବେ ନିଜ ଉପରେ କାମ କରୁଛନ୍ତି ଓ ନିଜକୁ ଅଧିକ ଭଲ କରିବା ପାଇଁ ପରିଶ୍ରମ କରୁଥିବା ଦୁବେ କହିଛନ୍ତି ।

