ମଣ୍ଡିରୁ ଧାନ ନେଇ ଯାଉଥିବା ବେଳେ ଜଳିଗଲା ଟ୍ରକ
ନନ୍ଦିଘୋଷ ବ୍ୟୁରୋ: ମଣ୍ଡିରୁ ଧାନ ନେଇ ଯାଉଥିବା ବେଳେ ଜଳିଗଲା ଟ୍ରକ । ଅନୁଗୋଳ – ଛେଣ୍ତିପଦା ୬୩ ନମ୍ବର ରାଜ୍ୟ ରାଜପଥର ମାଳିବ୍ରାହ୍ମଣୀ ଛକରେ ଘଟିଛି ଘଟଣା । ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକର ଚାଳକ ଓ ଖଲାସୀ l
ଛେଣ୍ଡିପଦା ବ୍ଲକ ବରପଦା ସମବାୟ ସମିତିରେ ଖୋଲା ଯାଇଥିବା ଧାନ ମଣ୍ତିରୁ ଅନୁଗୋଳର ଭୈରବୀ ରାଇସ ମିଲ ପକ୍ଷରୁ ଚାଷୀଙ୍କ ଧାନ କ୍ରୟ କରାଯାଉଥିଲା l କ୍ରୟ ପରେ ରାଇସ ମିଲ କର୍ତ୍ତୃପକ୍ଷ ଏକ ଛଅ ଚକିଆ ଟ୍ରକରେ ପ୍ରାୟ ୧୪ ଟନରୁ ଅଧିକ ଧାନ ବୋଝେଇ କରି ଅନୁଗୋଳ ଯାଉଥିଲେ । ଏହି ସମୟରେ ମାଳିବ୍ରାହ୍ମଣୀ ନିକଟରେ ହଠାତ ଟ୍ରକ ସମ୍ମୁଖରୁ ଧୂଆଁ ବାହାରି ଜଳିବାକୁ ଲାଗିଥିଲା । ଏହା ଦେଖି ଚାଳକ ଜଣଙ୍କ ଟ୍ରକରୁ ଓହ୍ଲାଇ ପଡ଼ିଥିଲେ l ଖବର ପାଇ ଜିନ୍ଦଲ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି l ଉକ୍ତ ଛଅ ଚକିଆ ଟ୍ରକରେ କ୍ଷମତାଠାରୁ ଓଭର ଲୋଡ଼ ଧାନ ନେଇ ଯାଉଥିବାରୁ ଇଞ୍ଜିନ ଅଧିକ ଗରମ ହୋଇ ଜଳି ଯାଇଥିବା ସନ୍ଦେହ କରିଛନ୍ତି ଅଗ୍ନିଶମ ବାହିନୀ l

