ବୋହୂକୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ । ଘସିପୁରା ଥାନା ବେଲବାହାଳି ଗ୍ରାମର ଅଯୋଧ୍ୟା ସାହୁଙ୍କ ଝିଅ ଗୋଲାପମଞ୍ଜରୀ ସାହୁ ସାତ ବର୍ଷ ତଳେ ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କୁ ବିବାହ କରିଥିଲେ । । ଅଚାନକ ଗୋଲାପ ଘର ଭିତରେ ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଥିଲେ । ଗୋଲାପ ପୋଡି ହୋଇଯିବାର ଖବର ପାଇଥିଲେ ବାପଘର ଲୋକେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଆସି ସେ ବାପଘର ବେଲବାହାଳିରେ ରହୁଥିଲେ । ଗୋଲାପଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ସୁଧାର ଆସିବାରୁ ଶାଶୁ ଘର ଲୋକେ କିପରି ତାଙ୍କୁ ଦିଆସିଲି ମାରି ପୋଡି ମାରିବା ପାଇଁ ଯୋଜନା କରିଥିଲେ ସେ ସବୁର ସମ୍ପୂର୍ଣ ଘଟଣା ନିଜ ପରିବାର ଆଗରେ ବଖାଣିଥିଲେ । ଏବେ ପୁନର୍ବାର ଗୋଲାପଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାପଘର ଲୋକେ ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ଏନେଇ ଗୋଲାପଙ୍କ ବାପା ଅଯୋଧ୍ୟା ସାହୁ ଆନନ୍ଦପୁର ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀ ରାଜେଶ, ଶଶୁର ହାଡିବନ୍ଧୁ ସାହୁ ଓ ଶାଶୁ ଶକୁନ୍ତଳା ସାହୁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ଆନନ୍ଦପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

