ବଦଳିପାରେ ମହାରାଷ୍ଟ୍ର ରାଜନୀତି। ଦୁଇ ଏନସିପି ଦଳ ମଧ୍ୟରେ ଘଟିପାରେ ମିଶ୍ରଣ। ଏନସିପି(ଏସପି) ଓ ଏନସିପି(ଏପି) ନେତା ଏନେଇ କରିଛନ୍ତି ଆଲୋଚନା। ଏନସିପି(ଏସପି) ଶରଦ ପାୱାରଙ୍କ ବାସଭବନରେ ଦୁଇ ଦଳର ନେତା ହୋଇଛନ୍ତି ଏକାଠି। ସମ୍ଭବତଃ ଦୁଇ ଦଳର ମିଶ୍ରଣ ଘଟିବା ନେଇ ଚାଲିଥିବା ଚର୍ଚ୍ଚାରେ ଖୁବ୍ ଶୀଘ୍ର ହୋଇପାରେ ଅନ୍ତ। ଗତ ବୁଧବାର ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଦଳର ମିଶ୍ରଣ ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଥିଲା।
ସେପଟେ ସୁନେତ୍ରା ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବା ସମ୍ପର୍କରେ ଶରଦ କହିଛନ୍ତି ଏହି ଖବର ତାଙ୍କ ନିକଟରେ ନାହିଁ କିମ୍ବା ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ତେଣେ ଏନସିପିର ମିଶ୍ରଣ ପ୍ରସଙ୍ଗରେ ଶରଦ କହିଛନ୍ତି ଦୁଇ ଦଳର ମିଶ୍ରଣ ସମ୍ପର୍କରେ କିଛି ମାସ ଧରି ଆଲୋଚନା ଚାଲିରହିଥିଲା। ମାତ୍ର ପୁତୁରା ଅଜିତଙ୍କ ଦେହାନ୍ତ ପରେ ଏହି ଆଲୋଚନା ସ୍ଥଗିତ ରହିଛି। ଫେବ୍ରୁଆରୀ ୧୨ର ଦୁଇ ଦଳର ମିଶ୍ରଣ ନେଇ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଅଜିତଙ୍କ ପରଲୋକ ଯୋଗୁ ଏହା ସ୍ଥଗିତ ରହିଛି ବୋଲି କହିଛନ୍ତି ଶରଦ। ଗତ ଜୁଲାଇ ୨୦୨୩ରେ ମୂଳ ଏନସିପିର ୫୪ ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କୁ ନେଇ ଅଜିତ ପାୱାର ଏନସିପିରେ ବଡ ବିଭାଜନ କରିବା ସହ ବିଜେପି ନେତୃତ୍ବାଧୀନ ମହାୟୁତି ସରକାରରେ ସାମିଲ ହୋଇଥିଲେ। ଏନସିପିର ଯଦି ମିଶ୍ରଣ ଘଟେ ତେବେ ତାହାର କିଏ ନେତା ହେବେ ତାହାକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା। ସର୍ବାଗ୍ରେ ରହିଛନ୍ତି ୪ ନେତା। ସେମାନେ ହେଲେ ଶରଦ ପାୱାର, ସୁପ୍ରିୟା ସୁଲେ, ସୁନେତ୍ରା ପାୱାର ଓ ପ୍ରଫୁଲ୍ଲ ପଟେଲ।

