ମହାରାଷ୍ଟ୍ର ପଲିଟିକ୍ସ: ସୁନେତ୍ରା ପାଓ୍ବାର ହେଲେ ଏନସିପି ବିଧାୟକ ଦଳ ନେତ୍ରୀ, ସନ୍ଧ୍ୟା ୫ଟାରେ ନେବେ ଶପଥ
ନନ୍ଦିଘୋଷ ବ୍ୟୁରୋ: ଅଜିତ ପାଓ୍ବାରଙ୍କ ପରଲୋକ ପରେ ତାଙ୍କ ପତ୍ନୀ ସୁନେତ୍ରା ପାଓ୍ବାର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି । ଏନସିପି ବିଧାୟକ ଦଳ ବୈଠକରେ ତାଙ୍କୁ ତାଙ୍କୁ ନେତା ଭାବେ ଚୟନ କରାଯାଇଛି । ଆଜି ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ପଦ ଓ ଗୋପନୀୟତାର ଶପଥ ନେବେ । ଯାହାକୁ ନେଇ ମୁମ୍ବାଇ ଓ ବାରାମତିରେ ରାଜନୈତିକ ହଲଚଲ ତେଜ ହୋଇଯାଇଛି । ଗୋଟିଏ ପଟେ ସୁନେତ୍ରା ଶପଥ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ପୁଅ ପାର୍ଥ, ଦାଦା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି ।
ଶରଦ ପାଓ୍ବାର ସ୍ପଷ୍ଟ କରିଛନ୍ତି ଏନସିପିର ଦୁଇ ଗୋଷ୍ଠୀର ମିଶ୍ରଣ ହେବ । ଏହା ଅଜିତଙ୍କ ବି ଇଚ୍ଛା ଥିଲା । ଏହାକୁ ନିଶ୍ଚିତ ପୂରା କରାଯିବ । ସେ କହିଛନ୍ତି ଅଜିତ, ଶଶିକାନ୍ତ ସିନ୍ଧେ ଏବଂ ଜୟନ୍ତ ପାଟିଲ ଦୁଇ ଗୋଷ୍ଠୀଙ୍କ ମିଶ୍ରଣ ନେଇ ଆଲୋଚନା ଆରମ୍ଭ କରିଥିଲେ ।
ଲୋକଭବନରୁ କାର୍ଯ୍ୟକ୍ରମ ସୂଚୀ ଜାରି
ଲୋକଭବନ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଅଧିକାରିକ ସ୍ତରରରେ ସୂଚନା ଆସିଛି । ସୁନେତ୍ରା ପାଓ୍ବାରଙ୍କ ଶପଥ ଗ୍ରହଣ ସନ୍ଧ୍ୟା ୫ଟାରେ ଉପମୁଖ୍ୟମନ୍ତ୍ରୀ ଭାବେ ନେବେ । ଅପରାହ୍ନ ୪ଟାରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଡେରାଡୁନରୁ ମୁମ୍ବାଇ ଫେରୁଛନ୍ତି । ୫ଟାରେ ଶପଥ ଗ୍ରହଣ ସମାରୋହ ହେବ । ଯେଉଁଥି ପାଇଁ ଲୋକଭବନରେ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
କ’ଣ କହିଲେ ଛଗନ ଭୁଜବଳ ?
ଗଣମାଧ୍ୟମ ସହ କଥା ହୋଇ ଛଗନ ଭୁଜବଳ କହିଛନ୍ତି, ବିଧାୟକଙ୍କ ନିଷ୍ପତ୍ତି ଓ ବର୍ତ୍ତମାନର ସ୍ଥିତିକୁ ଦେଖି ଦଳର ନେତା ଓ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସୁନେତ୍ରା ପାଓ୍ବାରଙ୍କୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ।
ଶରଦ ପାଓ୍ବାରଙ୍କ ବୟାନକୁ ନେଇ ସେ କିଛି କହିବାକୁ ମନା କରିଦେଇଛନ୍ତି । ମିଶ୍ରଣ ନେଇ କିଛି ଶୁଣି ନଥିବାରୁ କିଛି କହିପାରିବିନି ବୋଲି ସେ କହିଛନ୍ତି । ମୁଁ ଛୋଟ ଲୋକ । ଅଜିତ ପାଓ୍ବାର ଏନସିପି ମିଶ୍ରଣ ପ୍ରସଙ୍ଗରୁ ସବୁବେଳେ ଦୂରରେ ରହିବାକୁ ଚେଷ୍ଟା କରୁଥିଲେ । ବର୍ତ୍ତମାନ ଦଳର ନେତା ଓ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ସବୁଠାରୁ ଅଧିକ ଜରୁରୀ ଥିଲା ।
ବିଧାୟକ ଦଳ ବୈଠକରେ ନିଷ୍ପତ୍ତି
ଅଜିତ ପାଓ୍ବାରଙ୍କ ପତ୍ନୀ ସୁନେତ୍ରା ପାଓ୍ବାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବୈଠକ ପରେ ଅଧିକାରିକ ସ୍ତରରେ ତାଙ୍କ ନାଁ ଘୋଷଣା କରାଯାଇଛି । ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ରାଜ୍ୟସଭାରୁ ଇସ୍ତଫା ଦେବେ ।

