କେବେ ସୁଧୁରିବ ମଣ୍ଡି ସମସ୍ୟା ? ମାଘ ଯାଇ ଫାଲଗୁନ ହେଲାଣି ଏଯାଏଁ ସରୁନି ଖରିଫ ଧାନ କିଣା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ବିଭିନ୍ନ ପାକ୍ସରେ ଖୋଲା ଆକାଶ ତଳେ ଗଦା ହୋଇ ରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା । ମିଲର୍ସ ଆବଶ୍ୟକୀୟ ଗାଡ଼ି ପଠାଉ ନଥିବାରୁ ଧାନ ଉଠିପାରୁନି । କିଛି ମଣ୍ଡିରେ ସିସିଟିଭି ନଥିବାରୁ ଧାନ ଚୋରି ହୋଇଯିବାର ଆଶଙ୍କା ରହୁଛି । ଫଳରେ ଖରା, କାକରରେ ବସି ରହି ଧାନ ଜଗିରହୁଛନ୍ତି ଅନ୍ନଦାତା । ତେବେ କେବେ ମଣ୍ଡିକୁ ଗାଡ଼ି ଆସିବ ? ଚାଷୀ ବର୍ଷକର ଆହାର କେବେ ବିକ୍ରି କରିବେ ? ତାକୁ ନେଇ ଚିନ୍ତାରେ ।
କଣ୍ଟାମାଳ ବ୍ଲକରେ ଧାନ କିଣା ମନ୍ଥର ଗତିରେ ଚାଲିଥିବା ବେଳେ ଚାଷୀଙ୍କୁ ଟୋକନ ଲାପ୍ସର ଚିନ୍ତା ଘାରିଲାଣି । ଖାଲି ସେତିକି ନୁହେଁ ହାତ ଉଧାରି କରି ଚାଷ କରି ଚାଷୀ କିପରି ଋଣ ସୁଝିବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସରକାର ସଠିକ ଭାବେ ମଣ୍ଡି ପରିଚାଳନା କରିବା ସହ ମଣ୍ଡିରୁ ଧାନ ଉଠାଇବାକୁ ଦାବି ହୋଇଛି । ଅନ୍ୟପଟେ ବୌଦ୍ଧ ଜିଲ୍ଲାରୁ ଚଳିତ ବର୍ଷ ୧୯ ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି । ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୩୯ ହଜାର କୁଇଣ୍ଟାଲ ଧାନ କିଣା ସରିଲାଣି । ଏଯାଏଁ କୌଣସି ଅଭିଯୋଗ ଆସିନାହିଁ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ l

