ନନ୍ଦିଘୋଷ ବ୍ୟୁରୋ : ବିଜେପି ସରକାରରେ ଦିନ ପରେ ଦିନ ଗଡ଼ି ଚାଲିଛି । ହେଲେ ଚାଷୀଙ୍କ ସମସ୍ୟାରେ ସୁଧାର ଆସୁନି । ଧାନ ସଂଗ୍ରହରେ ଅନିୟମିତତା ହେଉଥିବାରୁ ଅନ୍ନଦାତା ଏବେ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେଉଛନ୍ତି । ହେଲେ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଆଜି ପୁଣି ଥରେ ଚାଷୀଙ୍କ ପାଇଁ ସ୍ବର ଉଠାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡି ଅବ୍ୟବସ୍ଥା ବିରୋଧରେ ନବୀନ ଏହି ଚିଠି ଲେଖି ୭୨ ଘଣ୍ଟା ଭିତରେ ସବୁ ବ୍ୟବସ୍ଥିତ କରିବାକୁ ଦାବି କରିଛନ୍ତି ।
ମଣ୍ଡିରେ ଘାଣ୍ଟି ହେଉଛି ଚାଷୀ । ହେଲେ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶୃତିକୁ ପାଳନ କରିବା କ୍ଷେତ୍ରରେ ବିଜେପି ଚରମ ବିଫଳତା ଦେଖାଇଚାଲିଛି । ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତାମାନେ କିପରି ବ୍ୟବସ୍ଥାଗତ ଶୋଷଣ ଓ କଷଣର ସମ୍ମୁଖୀନ ହେଉଛନ୍ତି । ସରକାର ଦୃଷ୍ଟି ଦେବାକୁ ପୁଣି ଥରେ ଧ୍ୟାନ ଆକର୍ଷଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି । କୃଷି କ୍ଷେତ୍ରକୁ ମିଳିଛି ପ୍ରଶାସନିକ ଉଦାସୀନତା । ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁଁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯାହା ଚାଷୀମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି । ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ପ୍ରତିଶୃତି ଦିଆଯାଇଥିଲା । ହେଲେ ମଣ୍ଡି ଗୁଡ଼ିକ ନିର୍ଯାତନାର କେନ୍ଦ୍ର ପାଲଟିଥିବା ନେଇ ନବୀନ କଟାକ୍ଷ କରିଛନ୍ତି । ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟି ଯାଇଛି । ମିଲର ଓ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି । ନିର୍ବାଚନ ସମୟରେ ବିଜେପି ଦେଇଥିବା ମିଥ୍ୟା ପ୍ରତିଶ୍ରୁତିର ଏହା ଏକ ଉଦାହରଣ ନୁହେଁ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଇନପୁଟ ସବ୍ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଆଉ ଏକ ପ୍ରତାରଣାର ଉଦାହରଣ । ଏଥିସହ ନିକଟରେ କେନ୍ଦ୍ର ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ହେଲେ ଓଡ଼ିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ମିଳୁ ନାହିଁ ।
ଧାନ ମଣ୍ଡି ମାନଙ୍କରେ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି । । ବାଧ୍ୟ ହୋଇ ଧାନକୁ କାକର ଓ ଚୋରିରୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀ ମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି । ଏପରିକି ଡିବିଟି ବାବଦରେ ପ୍ରାପ୍ୟ ବି ଭେଳିକି ହେଉଛି । ଚାଷୀ ସ୍ବାର୍ଥ ରକ୍ଷା ପାଇଁ ୭୨ ଘଣ୍ଟାର ସମୟ ଦେଇଛନ୍ତି ବିରୋଧୀ ଦଳ ନେତା । ଏଥିସହ ବ୍ୟବସ୍ଥିତ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ୪ ସୂତ୍ରୀ ପରାମର୍ଶ ଦେଇଛନ୍ତି ନବୀନ । ପ୍ରଥମେ କଟନୀ ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାଡ ନିୟୋଜିତ କରାଯାଉ ଏବଂ ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦ୍ବିତୀୟରେ ଇନପୁଟ୍ ସବ୍ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଉ। ତୃତୀୟରେ, ବିଜେପିର ନିର୍ବାଚନ ପ୍ରତିଶୃତି ଅନୁଯାୟୀ ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ । ଚତୁର୍ଥରେ, ୭୨ ଘଣ୍ଟା ମଧ୍ୟରେ ମଣ୍ଡି ଗୁଡିକରେ ଖୋଲାରେ ପଡିଥିବା ସବୁ ଧାନ ଗୁଡିକୁ ଶତ ପ୍ରତିଶତ ଉଠାଯିବାକୁ ନବୀନ ଦାବି କରିଛନ୍ତି ।
ଦୟା ନୁହେଁ ଅନ୍ନଦାତା ହେଉଛନ୍ତି ସମ୍ମାନର ପାତ୍ର । ହେଲେ ସେମାନଙ୍କ ସ୍ବାର୍ଥ ବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟବ୍ୟାପୀ ଚାଷୀ ଆନ୍ଦୋଳନ ବ୍ୟାପୁଛି । ହେଲେ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଆନ୍ଦୋଳନରତ ଚାଷୀଙ୍କୁ ବାରମ୍ବାର ନକଲି ଚାଷୀର ଆଖ୍ୟା ଦେଇ ସେମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହେଉଛି ।

