spot_img

Latest Posts

‘କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟରେ କୌଣସି ବର୍ଗଙ୍କୁ ସନ୍ତୁଷ୍ଟ କରିପାରିନାହାନ୍ତି’

ନନ୍ଦିଘୋଷ ବ୍ୟୁରୋ : ନନ୍ଦିଘୋଷ ବ୍ୟୁରୋ : ହାତରେ ନାହିଁ ଧନ, ପୁଅ ବାହାଘର ପାଇଁ ମନ। ଦେଶର ରାଜକୋଷ ନିଅଣ୍ଟିଆ ସ୍ଥିତିରେ। ଅଥଚ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟରେ ଚତୁରତା ଦେଖାଇବାର ଉଦ୍ୟମ କରିଛନ୍ତି। ଆଜି ରାଜ୍ୟସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। କହିଛନ୍ତି, କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ୫୩.୪୭ ଲକ୍ଷ କୋଟିର ବିଶାଳ ବଜେଟରେ କୌଣସି ବର୍ଗକୁ ସନ୍ତୁଷ୍ଟ କରିପାରି ନାହିଁ। ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ବ ବିତ୍ତୀୟ ନିଅଣ୍ଟ ଦେଶର ଆର୍ଥିକ ସ୍ଥିତି ସ୍ପଷ୍ଟ କରିଛି। ୨୪ ପ୍ରତିଶତ ନିଅଣ୍ଟିଆ ବଜେଟକୁ କିପରି ଉତ୍କୃଷ୍ଟ ବୋଲି ସରକାର ଅଭିହିତ କରୁଛନ୍ତି ତାହା ସାଧାରଣ ଲୋକଙ୍କ ମୁଣ୍ଡରେ ପଶୁନାହିଁ। ଜଣେ ଓଡ଼ିଆ ଭାବେ ଏହି ବଜେଟ ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ନିରାଶା ଆଣିଛି ବୋଲି ମୁଁ ଆଦୌ କୁଣ୍ଠିତ ହେବି ନାହିଁ।  ସାଢେ଼ ଚାରି କୋଟି ଓଡ଼ିଶାବାସୀଙ୍କ ପରି ମୁଁ ମଧ୍ୟ ‘ଡ଼ବଲ ଇଞ୍ଜିନ୍‌’ ସରକାର ଓଡ଼ିଶା ପାଇଁ କିଛି କରିବେ ବୋଲି ଆଶା କରିଥିଲି । ବଜେଟରେ ଭିତ୍ତିଭୂମି, ନିଯୁକ୍ତି ସୁଯୋଗ, ରାଜ୍ୟ ପାଇଁ ଅତିରିକ୍ତ ଅନୁଦାନ ଉପରେ ସରକାର ଗୁରୁତ୍ୱ ଦେବେ। ଓଡ଼ିଶାର ବିକାଶକୁ ଗତିଶୀଳ କରିବେ ବୋଲି ଆଶା ଥିଲା । ମାତ୍ର କେନ୍ଦ୍ର ବଜେଟ୍‌ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ପାଇଁ ନିରାଶା ଜନକ ରହିଛି ବୋଲି କ୍ଷୋଭର ସହ ସାଂସଦ ମଙ୍ଗରାଜ କହିଥିଲେ। ବଜେଟରେ ଓଡ଼ିଶାକୁ ଜାତୀୟ ଜଳପଥ ପ୍ରକଳ୍ପରେ ସାମିଲ କରାଯାଇଛି। ବିଡ଼ମ୍ବନା ହେଉଛି ଯେ, ଏହା ହେଉଛି ଦେଢ଼ ଦଶନ୍ଧି ତଳର ପ୍ରସ୍ତାବ ।  ୨୦୦୮ ମସିହାରୁ ଜାତୀୟ ଜଳପଥ-୫ରେ ଓଡ଼ିଶାର ୬ଟି ଜଳପଥକୁ ସ୍ଥାନୀତ କରାଯାଇଥିଲା । ଆଜି ଯାଏ ସେଥିରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରି ନାହିଁ । ପୁରୁଣା ଖାତାରେ ନୂଆ ମଲାଟ ପରି ପୁନର୍ବାର ଏହାକୁ ବଜେଟରେ ସ୍ଥାନ ଦିଆଯାଇଛି  । ଯେଉଁଠି ପଡେ଼ାଶୀ ରାଜ୍ୟର ଉପଦ୍ରବ ଯୋଗୁଁ ବାଲୁକାସ୍ତୁପର ମୃତ୍ୟୁ ଶଯ୍ୟାରେ ଓଡ଼ିଶାର ନଦୀଗୁଡ଼ିକ ଆର୍ତ୍ତନାଦ କରୁଛନ୍ତି। ସେଠାରେ ଅର୍ଥମନ୍ତ୍ରୀ ଶୁଖିଲା ବାଲିରେ ଜାହାଜ ଚଳାଇବା ସ୍ୱପ୍ନ ଦେଖିବା ଓଡ଼ିଶାବାସୀଙ୍କ ପାଇଁ କଟା ଘା’ରେ ଚୂନ ମାରିବା ସହ ସମାନ। ବିରଳ ମୃତ୍ତିକା କରିଡ଼ରରେ ଓଡ଼ିଶାକୁ ସାମିଲ କରାଯାଇଛି । ମାତ୍ର ଏଥିରୁ ଓଡ଼ିଶା କି ଲାଭ ପାଇବ? ରାଜ୍ୟରୁ କୋଇଲା, ଲୁହାପଥର, ବକ୍ସାଇଟ, କ୍ରୋମାଇଟର ସହଜ ପରିବହନ ପାଇଁ କରିଡ଼ର ଓଡ଼ିଶାରୁ ଖଣିଜ ସମ୍ପଦ ପରିବହନ ସୁବିଧା ହେବ। ଓଡ଼ିଶା ଲୋକ କେବଳ ଧୂଳି-ଧୂଆଁ-ପ୍ରଦୂଷଣ ପାଇବେ । ଯେଉଁଠି ବର୍ଷବର୍ଷ ଧରି କୋଇଲା ରାଜଭାଗ ସଂଶୋଧିତ ହେଉନାହିଁ, ଗ୍ରୀନ୍‌ ଟ୍ୟାକ୍ସ ପ୍ରଦାନରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି; ସେଠାରେ ଏହା କୌଣସି ପ୍ରକାରେ ଓଡ଼ିଶାକୁ ଲାଭାନ୍ୱିତ କରିବାର ବିଶ୍ୱାସ ନାହିଁ । ବଜେଟରେ ୭ଟି ହାଇସ୍ପିଡ଼୍‌ ରେଳ କରିଡ଼ର ପାଇଁ ଘୋଷଣା ହୋଇଛି । ଏହା ମଧ୍ୟରୁ ଓଡ଼ିଶାକୁ ଗୋଟିଏ ବି ମିଳିନାହିଁ। ଏପରିକି କୌଣସି ରେଳ କରିଡ଼ର ଓଡ଼ିଶା ଦେଇ ଅତିକ୍ରମ ବି କରିବ ନାହିଁ। ବିଡ଼ମ୍ବନା ହେଉଛି ବଜେଟରେ ଘୋଷିତ ବୌଦ୍ଧ ସର୍କିଟ ବିକାଶ ଯୋଜନାରୁ ଆଶ୍ଚର୍ଯ୍ୟଜନକ ଭାବରେ ଓଡ଼ିଶାକୁ ବାଦ ଦିଆଯାଇଛି । ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ‘ହୀରକ ତ୍ରିଭୂଜ’ ବା ଡ଼ାଇମଣ୍ଡ ଟ୍ରାଇଙ୍ଗଲ ଭାବରେ ପରିଚିତ ଓଡ଼ିଶାର ରତ୍ନଗିରି, ଉଦୟଗିରି, ଲଳିତଗିରିକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଛି । ସରକାର ହସ୍ତତନ୍ତ ଓ ଖଦୀର ବିକାଶ ପାଇଁ ଘୋଷଣା କରିଛନ୍ତି । ମାତ୍ର ଓଡ଼ିଶାର ଲକ୍ଷଲକ୍ଷ ବୁଣାକାର ନିର୍ଭର କରୁଥିବା ହସ୍ତଶିଳ୍ପ ଓ ହସ୍ତତନ୍ତ ଉପରୁ ଏଯାଏ ଜିଏସ୍‌ଟି ହ୍ରାସ ହୋଇ ପାରିଲା ନାହିଁ । ୨୦୦ ଶିଳ୍ପ କ୍ଲଷ୍ଟରର ବିକାଶ ଯୋଜନାରେ ଓଡ଼ିଶାର ବି ସ୍ଥାନ ନାହିଁ ।  ୨୦୧୪ରେ କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ବିଜେପି ଘୋଷଣା କରିଥିଲା । ମାତ୍ର ୧୨ ବର୍ଷ ବିତିଯିବା ପରେ ବି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିରବ । ବଜେଟରେ ଏହାର ନାମଗନ୍ଧ ସୁଦ୍ଧା ନାହିଁ । ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିମନ୍ତେ ବାରମ୍ବାର ଦାବିକୁ ବଜେଟରେ ପୂର୍ଣ୍ଣ ଉପେକ୍ଷା କରାଯାଇଛି ।  ପ୍ରସ୍ତାବିତ ରାସାୟନିକ ପାର୍କ, ହାଇଟେକ ଟୁଲ୍‌ରୁମ୍‌, ପରିବେଶ ଅନୁକୂଳ ମାଲ ପରିବହନ କରିଡର, କଣ୍ଟେନର ପ୍ରଡ଼କ୍ସନ ୟୁନିଟ୍‌, ନଡ଼ିଆ ଓ କାଜୁ ଉତ୍ପାଦନ ବୃଦ୍ଧି  କାର୍ଯ୍ୟକ୍ରମ ଆଦିରୁ ଓଡ଼ିଶା ସମ୍ପୂର୍ଣ୍ଣ ବଞ୍ଚିତ ।

 

Latest Posts

Don't Miss