ବୃକ୍ଷରୋପଣ ନାଁରେ ଏକ ନମ୍ବର ପ୍ରଦୂଷିତ ସହର ଅନୁଗୋଳରେ ଚାଲିଛି ଅର୍ଥ ହରିଲୁଟ
ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣରେ ଏକ ନମ୍ବର ସ୍ଥାନରେ ଅନୁଗୋଳ l ଏଥିରୁ ମୁକୁଳିବା ପାଇଁ ବୃକ୍ଷ ହିଁ ଏକମାତ୍ର ଭରସା l ବନୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତା’ର ସଫଳ ରୂପାୟନ ହୋଇପାରୁନି । କେଉଁଠି ଗଛ ଆଦୌ ଲଗା ନଯାଇ ମିଥ୍ୟା ବିଲ୍ କରି ଅର୍ଥ ହରିଲୁଟ ହେଉଛି ତ ଆଉ କେଉଁଠି ଗଛ ଲଗାଇ ରକ୍ଷଣାବେକ୍ଷଣ ନାଁରେ ବିଲ୍ କରି ଲୁଟ ଚାଲିଛି ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ବୃକ୍ଷରୋପଣର ସାଂଘାତିକ ସତ । କେଉଁଠି ଆଦୌ ଗଛ ଲଗା ନ ଯାଇ ମିଥ୍ୟା ବିଲ୍ କରି ଅର୍ଥ ହରିଲୁଟ ହୋଇଛି । ଆଉ କେଉଁଠି ରକ୍ଷଣାବେକ୍ଷଣ ନାଁରେ ବିଲ୍ କରି ଟଙ୍କା ହଡ଼ପ ଅଭିଯୋଗ । ବ୍ଲକ ପ୍ରଶାସନ ଓ ବନବିଭାଗ ସହାୟତାରେ ମନରେଗା ଓ କାମ୍ପା ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଉଛି l ହେଲେ ପାଣି ବିନା କେଉଁଠି ଗଛ ଶୁଖିଯାଇଛି ତ କେଉଁଠି ରକ୍ଷଣାବେକ୍ଷଣ ଅଭାବରୁ ମରି ଗଲାଣି ।
ବରପଦା ପଞ୍ଚାୟତରେ ୧ ଲକ୍ଷ ୧୭ ହଜାର ୮୫୫ ଟଙ୍କାରେ ବୃକ୍ଷରୋପଣ କରାଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଯାଇଛି । କଣଲୋଇ ପଞ୍ଚାୟତରେ ୩ ଲକ୍ଷ ୯୩ ହାଜର ୯୭୨ ଟଙ୍କାରେ ଦୁଇଟି ସ୍ଥାନରେ ବନୀକରଣ କରାଯାଇଛି । ହେଲେ ଯେତିକି ଟଙ୍କାରେ ଗଛ ଲାଗିବା କଥା ଅଧା ଗଛ ଲାଗି ନଥିବା ବେଳେ ଅର୍ଥ ହରିଲୁଟ ହୋଇଛି l ବାଗଡିଆ ପଞ୍ଚାୟତରେ ମଧ୍ୟ ଗଛ ନଲଗାଇ ଅର୍ଥ ହଡ଼ପ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି l ସେହିପରି ବନ ବିଭାଗ ପକ୍ଷରୁ କାମ୍ପା ଯୋଜନାରେ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ୫୦ ହେକ୍ଟର ଜାଗାରେ ୨୫ ହଜାର ଗଛ ଲାଗି ନଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଗଛ ଲାଗିଥିବା ସ୍ଥାନରେ ପାଣି ଦିଆଯାଉଥିବା ଓ ପତ୍ରଝଡ଼ା ପାଇଁ ଏଭଳି ଦେଖାଯାଉଥିବା ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ।

