ଉତ୍କଟ ପାନୀୟ ଜଳସଙ୍କଟ । ପାଣି ଟୋପାଏ ପାଇଁ ଆଉଟୁପାଉଟୁ ଲୋକେ । ଦ୍ବୀପ ତଳ ଅନ୍ଧାର ଭଳି ପାଣି ପାଇଁ ହନ୍ତସନ୍ତ ସହରିଆ। ପାରଳାଖେମୁଣ୍ଡି ସହର ଉପକଣ୍ଠ କେରାଣ୍ଡି ପଞ୍ଚାୟତର ଫରେଷ୍ଟ ଗେଟ ଓ ଆଖପାଖ ଦଶରୁ ଅଧିକ ସାହି ବାସିନ୍ଦା ପାଣି ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଗୁହାରି ପରେ ମଧ୍ୟ ପ୍ରଶାସନ ପକ୍ଷରୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିନାହିଁ। ଲୋକଙ୍କ ଦାବି ପରେ କେବଳ ପାଇପ୍ ବିଛାଇ ଛାଡ଼ି ଦିଆଯାଇଛି। ପାଇପ୍ ବିଛାଇବା କାର୍ଯ୍ୟକୁ ତିନି ବର୍ଷ ବିତିଗଲାଣି। ଅନେକ ପାଇପ ଓ ପାଣି ପୋଷ୍ଟ ନଷ୍ଟ ବି ହୋଇଗଲାଣି। କିନ୍ତୁ ଏଯାଏଁ ପାନୀୟ ଜଳ ଯୋଗାଣ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।
ପାଇପ୍ ବିଛାଇବା ପାଇଁ ରାସ୍ତା ଘାଟ ସବୁ ଖୋଳି ଦେଇ ଚାଲିଗଲେ ଠିକାଦାର। ରାସ୍ତା ମରାମତି ନକରି ଚାଲିଯାଇଥିବାବେଳେ ଡ୍ରେନ୍ ଗୁଡ଼ିକ ମାଟି ଗୋଡ଼ିରେ ଅବରୋଧ ହୋଇଛି। ଫଳରେ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହେଉଛି। ହଜାର ହଜାର ଲୋକେ ବର୍ଷ ତମାମ ଜଳ ସଙ୍କଟର ସମ୍ମୁଖୀନ ହେଉଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ଯନ୍ତ୍ରୀ କହିଛନ୍ତି, ଆମେ କେବଳ ପାଇପ ବିଛାଇ ଦେଇଛୁ । ସେହି ଅଞ୍ଚଳ ସହର ମଧ୍ୟରେ ଆସୁଥିବାରୁ ଜନସ୍ୱାସ୍ଥ୍ୟ ବିଭାଗ ଜଳ ଯୋଗାଇବ । ଏନେଇ ଜନସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଜଣାଇ ଦିଆଯାଇଛି । ପାନୀୟ ଜଳ ସଙ୍କଟରୁ ସହରିଆ କେବେ ମୁକ୍ତି ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

