ଆଇସିସି ଟି-୨୦ ବିଶ୍ବକପ ୨-୨୬ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଠାରୁ ୭୬ରେ ପରାଜୟ ବରଣ କରିବା ପରେ ଚାରିଆଡ଼ୁ ସମାଲୋଚନା ଶୁଣିବାକୁ ମିଳିଛି । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉପଅଧିନାୟକ ଅକ୍ଷର ପଟେଲଙ୍କୁ ପ୍ଲେଇଂ-୧୧ରୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ହଙ୍ଗାମା ମଚିଯାଇଛି । ଅକ୍ଷରଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦରଙ୍କୁ ନିଆଯାଇଥିଲା । ସୁନ୍ଦରଙ୍କ ଦକ୍ଷତା ଉପରେ କାହାର ପ୍ରଶ୍ନ ନାହିଁ, ମାତ୍ର ଏପରି ମ୍ୟାଚରେ ଅକ୍ଷର ପଟେଲଙ୍କ ଅନୁଭବ କାମରେ ଆସିପାରିଥାନ୍ତା ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ ।
ନିଜର ୟୁଟ୍ୟୁବ ଚ୍ୟାନେଲରେ ଅଶ୍ବିନ କହିଛନ୍ତି, ଅକ୍ଷର ଭାରତ ପାଇଁ ଟି-୨୦ କ୍ରିକେଟରେ ‘ମୋଷ୍ଟ ଭାଲୁଏବଲ ପ୍ଲେୟାର’ ଅଟନ୍ତି । ସେ ଅନେକ ମ୍ୟାଚରେ ଦଳକୁ ମୁସ୍କିଲ ସ୍ଥିତିରୁ ଉଦ୍ଧାର କରିଛନ୍ତି । ବାମ ହାତୀ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଇବା ରଣନୀତି ଠିକ୍ ହୋଇପାରେ, ମାତ୍ର ଅକ୍ଷରଙ୍କ ଯୋଗଦାନକୁ ଅଣଦେଖା କରାଯାଇ ପାରିବ ନାହିଁ । ଗତ ଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ମୁସ୍କିଲରେ ଥିବା ସମୟରେ ବିରାଟ କୋହଲିଙ୍କ ସହ ମିଶି ଅକ୍ଷର ଟିମକୁ ୧୭୦ ପାର କରାଇଥିଲେ । କୋହଲିଙ୍କ ଅନୁଭବ ଥିଲା, ମାତ୍ର ଅକ୍ଷର ବି କିଛି କମ୍ ନୁହନ୍ତି । ସୁନ୍ଦର ୨ ଓଭର ବୋଲିଂ କରି ୧୭ ଦେବା ସହ ବ୍ୟାଟିଂରେ ୧୧ ବଲରେ ୧୧ ରନ୍ କରିଥିଲେ । ତେଣୁ ତାଙ୍କୁ ଖେଳାଇବାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି କହିଛନ୍ତି ଟିମର ସହାୟକ କୋଚ ରୟାନ ଟେନ ଡୋଶେଟ ।

