ଆଇସିସି ପୁରୁଷ ଟି-୨୦ ବିଶ୍ବକପ ୨୦୨୬ର ସୁପର-୮ ମୁକାବିଲା ଆଜି ଜିମ୍ବାଓ୍ବେ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହୋଇଥିବାରୁ ଜିମ୍ବାଓ୍ବେ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ଉପରେ ନଜର ରହିଛି । କାରଣ ଏହି ମ୍ୟାଚର ଫଳାଫଳ ଟିମ୍ ଇଣ୍ଡିଆର ସେମିଫାଇନାଲ ଯାତ୍ରା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । କିଛି ବର୍ଷ ଧରି ସମାଲୋଚନାର ଶବବ୍ୟ ପାଲଟିଥିବା ଅଧିନାୟକ ଶାଇ ହୋପ ଓ୍ବେଷ୍ଟଇଣ୍ଡିଜ ବିଜୟ ଲକ୍ଷ୍ୟରେ ଓହ୍ଲାଇବ । ସେହିପରି ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ହରାଇ ଦୃଢ଼ ଆତ୍ମବିଶ୍ବାସର ସହ ମୈଦାନକୁ ଓହ୍ଲାଇବ ଜିମ୍ବାଓ୍ବେ ।
ଦକ୍ଷିଣ ଆଫ୍ରିକା ଠାରୁ ୭୬ ରନରେ ପରାଜିତ ହେବା ପରେ ଟିମ୍ ଇଣ୍ଡିଆର ରନ ରେଟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଏପରି ସ୍ଥିତିରେ ସୁପର-୮ର ଅନ୍ୟ ଟିମମାନଙ୍କର ଫଳାଫଳ ଭାରତର ସେମିଫାଇନାଲର ଛବି ସ୍ପଷ୍ଟ କରିବାରେ ବଡ଼ ଭୂମିକା ନିର୍ବାହ କରିବ । ଭାରତ ଅନ୍ୟ ଦୁଇ ମ୍ୟାଚରେ ଏହି ଦୁଇ ଟିମଙ୍କୁ ଭେଟିବ । ଓ୍ବେଷ୍ଟଇଣ୍ଡିଜ-ଜିମ୍ବାଓ୍ବେ ମଧ୍ୟରେ ମୋଟ ୪ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ଓ୍ବେଷ୍ଟଇଣ୍ଡିଜ ୩ଟି ମ୍ୟାଚରେ ଜିତିଛି । ପାଣିପାଗ ସ୍ପଷ୍ଟ ଥିବାରୁ ବର୍ଷାର ଆଶଙ୍କା ନାହିଁ ।

