ନନ୍ଦିଘୋଷ ବ୍ୟୁରୋ : ବିବାଦୀୟ ଡୁରାଣ୍ଡ ଲାଇନ୍ ସୀମାରେ ଆଫଗାନିସ୍ତାନର ତାଲିବାନ ପ୍ରଶାସନ ପକ୍ଷରୁ ପାକିସ୍ତାନୀ ସେନା ବିରୋଧରେ ଏକ ବଡ଼ଧରଣର ପ୍ରତିଶୋଧମୂଳକ ସାମରିକ ଅଭିଯାନ ଆରମ୍ଭ ହୋଇଛି । ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି । ତାଲିବାନ ମୁଖପାତ୍ର ହମିଦୁଲ୍ଲା ଫିତ୍ରାତ ଏକ୍ସରେ ସୂଚନା ଦେଇଛନ୍ତି ଯେ, ଆଫଗାନିସ୍ତାନ ସେନା ପାକିସ୍ତାନର ୧୫ଟି ସୀମାନ୍ତ ପୋଷ୍ଟ୍କୁ ନିଜ ଦଖଲକୁ ନେଇଛି । ନିକଟରେ ପାକିସ୍ତାନର ବିମାନ ଆକ୍ରମଣର ଏହା କଡ଼ା ଜବାବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୫୫ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ବେଳେ କିଛି ସୈନ୍ୟଙ୍କୁ ବନ୍ଦୀ କରାଯାଇଛି ବୋଲି ସେ ଦାବି କରିଛନ୍ତି । ଆଫଗାନିସ୍ତାନ ସୁରକ୍ଷା ବାହିନୀଙ୍କ ଉଦ୍ଧୃତି ଦେଇ ଟୋଲୋ ନ୍ୟୁଜ୍ ଏକ ପାକିସ୍ତାନୀ JF-୧୭ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନଙ୍ଗରହାର ଏବଂ କୁନାର ପ୍ରଦେଶରେ ରାତିଅଧିଆ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଲେଜର୍ ୟୁନିଟ୍ ମୁତୟନ କରାଯାଇଥିଲା । ଆଫ୍ଗାନ ମୁଖପାତ୍ର ଫିତ୍ରାତ କହିଛନ୍ତି, କୁନାର ପ୍ରଦେଶର ମୁନାୱାର ଜିଲ୍ଲାର ଘାସି କାଣ୍ଡୋ ଅଞ୍ଚଳର ତିନିଟି ପୋଷ୍ଟ, ନରି ଜିଲ୍ଲାର ବାରିକୋଟ ଏବଂ ଡୋକାଲାମ ଅଞ୍ଚଳରେ ଦୁଇଟି ପୋଷ୍ଟ ଦଖଲ କରାଯାଇଛି। ନଙ୍ଗରହାର ପ୍ରଦେଶର ଦୁର ବାବା ଜିଲ୍ଲାର ପାଞ୍ଚଟି ପୋଷ୍ଟ ଏବଂ ଗୋଷ୍ଟେ ଜିଲ୍ଲାର ଦୁଇଟି ପୋଷ୍ଟ ତାଲିବାନ ନିୟନ୍ତ୍ରଣକୁ ଯାଇଛି। ଆଫଗାନିସ୍ତାନ ମୁଜାହିଦ୍ଦିନ ଦ୍ୱାରା ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଫିତ୍ରାତ ଦାବି କରିଛନ୍ତି ଯେ ତାଲିବାନ ଯୋଦ୍ଧାମାନେ କୁନାର ଓ ନଙ୍ଗରହାର ପ୍ରଦେଶର ଏକାଧିକ ସୀମା ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ବହୁ କ୍ଷୟକ୍ଷତି ଘଟାଇଛନ୍ତି, ଯଦିଓ ଏହି ସଂଖ୍ୟା ସ୍ୱାଧୀନ ଭାବରେ ଯାଞ୍ଚ କରାଯାଇ ପାରିନାହିଁ ।
ସେପଟେ ତାଲିବାନ ବିରୋଧରେ ଖୋଲା ଯୁଦ୍ଧ ଘୋଷଣା କରିଛି ପାକିସ୍ତାନ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ର ଖ୍ବଜା ଆସିଫ । ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଯୁଦ୍ଧ ଘୋଷଣା କରିଛି । ଏହାର ନାମ ଦେଇଛି ଅପରେସନ ଗଜବ ଲିଲ୍ ହକ୍ । ଘନଘନ ବୋମାମାଡ଼ କରିଛନ୍ତି ପାକ୍ ସେନା ।

