ନବରଙ୍ଗପୁର : ଘର ଭିତରେ ଆପେ ଆପେ ଲାଗୁଛି ନିଆଁ । ଘର ଛାଡ଼ି ପର ଘରେ ଆଶ୍ରୟ ନେଲେ ପରିବାର ଲୋକେ । ପୂଜା ପାଠ ଭରସାରେ ପରିବାର । ବିଜ୍ଞାନ ଯୁଗରେ ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଜିଲ୍ଲାର ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ଗୋପିଗୁଡା ଗ୍ରାମର କୋମଳ ଲୋଚନ ପୂଜାରୀଙ୍କ ଘରେ ଏଭଳି ଘଟଣା ଘଟୁଥିବା ଦାବି କରିଛନ୍ତି l ଗତ ୩ଦିନ ଧରି ଘର ଭିତରେ ଆପେ ଆପେ ନିଆଁ ଲାଗି ଯାଉଥିବା ଅଭିଯୋଗ କରିଛନ୍ତି l ଘରର ଛାତ, ପୋଷାକ, ଆସବାବପତ୍ର, ଏଭଳିକି ପନିପରିବା ମଧ୍ୟ ଆପେ ଆପେ ନିଆଁ ଲାଗିଯାଉଛି । ଘରେ ରହିବାକୁ ଭୟ ମାଡୁଥିବା ଅଭିଯୋଗ କରି ପରିବାର ଲୋକ ନିଆଁ ଲିଭାଇବା ସହ ଠିକରେ ରହି ପାରୁନଥିବା କି ଠିକରେ ଶୋଇ ପାରୁନଥିବା ପ୍ରକାଶ କରିଛନ୍ତି l
ଘରର କୋଣ, ଧାନ ବସ୍ତା, ସିଢି ପାହାଚ, କାଠ, ବାସନ ଷ୍ଟାଣ୍ଡ, ଲୁଗା ପଟା, ଟିଣ ପେଢ଼ି ଇତ୍ୟାଦି ଜାଗାରେ ଆପେ ଆପେ ନିଆଁ ଲାଗି ଯାଉଛି l ଗତ ଶୁକ୍ରବାର ଦିନ ପ୍ରଥମେ ନିଆଁ ଲାଗିଥିଲା l ପରିବାର ଲୋକ ନିଆଁ ଲିଭାଇଥିଲେ l ପୁଣି ଶନିବାର ଦିନ ପୁରା ଦିନ ସାରା କପଡା ଲତାରେ ନିଆଁ ଲାଗିବାରୁ ପରିବାର ଲୋକ ବାଧ୍ୟ ହୋଇ ପଡିଶା ଘରେ ଲୁଗାପଟା ରଖିଥିବା କହିଛନ୍ତି l ପୁଣି ପଡିଶା ଘରେ ମଧ୍ୟ ନିଆଁ ଲାଗିଥିବା ଅଭିଯୋଗ କରିଛନ୍ତି l ଆଜି ମଧ୍ୟ ଠିକ ସେହି ଭଳି ପରିସ୍ଥିତି ଉପୁଜିବାରୁ ପରିବାର ଲୋକ ଘରେ କାଳିସୀ ଲାଗିଥିବା ବ୍ୟକ୍ତିଙ୍କୁ ଡକାଇ ପୂଜାର୍ଚନା କରିବାରୁ ଘରେ ଏ ଯାଏଁ ନିଆଁ ଲାଗି ନଥିବା କହିଛନ୍ତି କୋମଳ ଲୋଚନ l ବାପା, ମାଆଙ୍କ ସହ ପରିବାର ରେ ୮ ଜଣ ସଦସ୍ୟ ରହିଛନ୍ତି l ଦୀର୍ଘ ୩ ଦିନ ହେଲାଣି ସେମାନେ ଠିକ ରେ ରହି ପାରୁନଥିବା କହିଛନ୍ତି l

