ଯୁଦ୍ଧର ତାଣ୍ଡବ ମଧ୍ୟରେ ଇରାନର ବଡ଼ ବୟାନ: ପଡ଼ୋଶୀଙ୍କୁ ଆକ୍ରମଣ ବନ୍ଦ, ଆତ୍ମସମର୍ପଣ କଥା ଭୁଲି ଯାଆ
ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଲାଗିଛି ନିଆଁ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଜଳୁଛି ଇରାନ । ସେପଟେ ଇରାନର ପାଲଟା ଆକ୍ରମଣରେ ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟ ଧ୍ବଂସ, ବିଧ୍ବଂସ । ମିଡିଲ ଇଷ୍ଟରେ ଥିବା ଆମେରିକା ବେସକୁ ଗୋଟି ଗୋଟି କରି ଟାର୍ଗେଟ କରୁଛି ଇରାନ । ଫଳରେ ପଡୋଶୀ ରାଷ୍ଟ୍ରଙ୍କ ଉପରେ ବି ଇରାନକୁ ଆକ୍ରମଣ କରିବାକୁ ପଡୁଛି । ଯେଉଁ କାରଣରୁ ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ଆଉ ଏହାରି ଭିତରେ ଇରାନ ରାଷ୍ଟ୍ରପତିଙ୍କ ଏମିତି ଏକ ବୟାନ ଆସିଛି, ଯାହା ପଡୋଶୀ ଦେଶଙ୍କ ପାଇଁ ଆସ୍ବସ୍ତିକର ହୋଇଥିବା ବେଳେ ଆମେରିକା ଓ ଇସ୍ରାଏଲର ଟେନସନ୍ ବଢ଼ାଇଦେଇଛି ।
ଇରାନ ପକ୍ଷରୁ ଚମକାଇ ଦେବା ଭଳି ଏକ କୂଟନୈତିକ ବୟାନ ଆସିଛି । ଇରାନ ରାଷ୍ଟ୍ରପତି ମସୁଦ ପେଜୋକ୍ସିୟାନ ଦେଶକୁ ସମ୍ବୋଧିତ କରି ଘୋଷଣା କରି କହିଛନ୍ତି, ଇରାନ ପଡୋଶୀ ଦେଶଙ୍କ ଉପରେ ଆକ୍ରମଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ସେ ପଡୋଶୀ ଦେଶଙ୍କୁ କ୍ଷମା ବି ମାଗିଛନ୍ତି । ଏହାସହ ସେ କହିଛନ୍ତି, ଅନ୍ୟ କୌଣସି ଦେଶ ଉପରେ ଆକ୍ରମଣ କରିବା ଆମ ଉଦ୍ଦେଶ୍ୟ ନୁହେଁ ।
ନିଜ ସମ୍ବେଧାନରେ ରାଷ୍ଟ୍ରପତି ଗୋଟିଏ ପଟେ ଶାନ୍ତିର ହାତ ବଢ଼ାଇ ଥିବା ବେଳେ ଅନ୍ୟପକ୍ଷେ ନିଜର ସର୍ବଭୌମତ୍ବକୁ ନେଇ ଶକ୍ତ ଆଭିମୁଖ୍ୟ ଦେଖାଇଛି । ସେ କହିଛନ୍ତି, ବିନା ସର୍ତ୍ତରେ ଆମେ ଆତ୍ମସମର୍ପଣ କରିବା ଦେଖିବାକୁ ଚାହୁଁଥିବା ଲୋକମାନେ ସ୍ବପ୍ନ ଦେଖୁଛନ୍ତି । ସେମାନେ ତାଙ୍କ ଏହି ସ୍ବପ୍ନକୁ ସେମାନଙ୍କ ସହ ମଶାଣିକୁ ନେଇ କି ଯିବେ ।
ପଡ଼ୋଶୀ ରାଷ୍ଟ୍ରଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଇରାନ ଏକ ଶାନ୍ତିପ୍ରୀୟ ଦେଶ । କ୍ଷେତ୍ରୀୟ ସ୍ଥିରତାକୁ ନଜରରେ ରଖି ଆମେ ସୈନ୍ୟ ଅଭିଯାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ତେବେ ବିଶେଷଜ୍ଞଙ୍କ ମତରେ ନିକଟରେ ହୋଇଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଇରାନର ଏହି ନରମ ଆଭିମୁଖ୍ୟ ଅନ୍ତରାଷ୍ଟ୍ରୀୟ ଚାପ ଓ ଘରୋଇ ପରିସ୍ଥିତିର ପରିଣାମ ।

