ନନ୍ଦିଘୋଷ ବ୍ୟୁରୋ : ଆଜି ରାଜ୍ୟସଭାରେ ଆସିବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(ସାଧାରଣ ପ୍ରଶାସନ) ବା ସିଏପିଏଫ ବିଲ୍। ସମସ୍ତ ଅର୍ଦ୍ଧସାମରିକ ବାହିନୀ ଲାଗି ଏକ ସାମଗ୍ରିକ ପ୍ରଶାସନିକ ବ୍ୟବସ୍ଥା ଉଦ୍ଦେଶ୍ୟରେ ଏହି ବିଲ୍ ଆସିବ। ଏହି ବିଲର ବିଶେଷତ୍ବ ଏହା ଯେ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ବା ସିଆରପିଏଫ, ସୀମା ସୁରକ୍ଷା ବଳ ବା ବିଏସଏଫ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ବା ସିଆଇଏସଏଫ, ଇଣ୍ଡୋ-ତିବ୍ବତୀୟ ସୀମା ସୁରକ୍ଷା ପୋଲିସ ବା ଆଇଟିବିପି ଓ ସଶସ୍ତ୍ର ସୀମା ବଳ ବା ଏସଏସବି ଲାଗି ଗୋଟିଏ ପ୍ରକାର ପ୍ରଶାସନିକ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଏହି ସମସ୍ତ ବାହିନୀରେ ଭିନ୍ନ ଭିନ୍ନ ନିୟମ ରହିଥିବାରୁ ସରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପ୍ରକାର ପ୍ରଶାସନିକ ବ୍ଯବସ୍ଥା କରାଗଲେ ସମସ୍ତ ବାହିନୀ ଗୋଟିଏ ଫ୍ରେମୱର୍କରେ ପରିଚାଳିତ ହେବେ। ଗତବର୍ଷ ମେ ୨୩ରେ ସିଏପିଏଫଗୁଡିକରେ ଇନ୍ସପେକ୍ଟର ଜେନେରାଲ ରାଙ୍କର ଆଇପିଏସ ଅଫିସରଙ୍କ ସଂଖ୍ୟା ହ୍ରାସ କରିବା ଲାଗି ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରିବା ବିଲର ଉଦ୍ଦେଶ୍ୟ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ପ୍ରତିଷ୍ଠା ଲାଗି ଆଇପିଏସ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସରକାର ଦର୍ଶାଇଥିଲେ।

