ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ଚୈତ୍ର ମାସର ତୃତୀୟ ମଙ୍ଗଳବାର । ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ତୃତୀୟ ପାଳି ଯାତ୍ରା । ସକାଳ ୫ଟା ୩୦ରୁ ସାହାଣମେଲା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମାଆ । ବିଳମ୍ବିତ ରାତ୍ର ରେ ଅନୁଷ୍ଠିତ ହେବ ବାସନ୍ତିକ ନବରାତ୍ରି ପୂଜା । ଏହାସହ ମା ‘ମଙ୍ଗଳା ଙ୍କ ବେଢା ପରିସରରେ କାଳିକା ନୃତ୍ୟ ଅନୁଷ୍ଠିତ ହେବାର ଵିଧି ରହିଛି । ତୃତୀୟ ମଙ୍ଗଳବାରରେ ବ୍ରତଧାରୀ ମହିଳା ମାନେ ପରିବାର ମଙ୍ଗଳକାମନା ପାଇଁ ଗାଁ ଦାଣ୍ଡରେ ପନ୍ଥେଇ ନିର୍ମାଣ କରି ଗୁଆ, ନଡ଼ିଆ, କଦଳୀ, ଖଇ ସହ ପଣା ହଳଦୀ ପାଣି ଦେଈ ପୂଜା କରିଥାନ୍ତି ।

