ନନ୍ଦିଘୋଷ ବ୍ୟୁରୋ : ଆଜି ଅଶୋକାଷ୍ଟମୀ । ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା । ଅଣଲେଉଟା ରୁକୁଣା ରଥରେ ଚଢ଼ି ରାମେଶ୍ବର ମନ୍ଦିରକୁ ଯିବେ ବାବା ଲିଙ୍ଗରାଜ । ଏଥିପାଇଁ ଚଳଚଞ୍ଚଳ ଭୁବନେଶ୍ବର ଏକାମ୍ରକ୍ଷେତ୍ର । ରଥ ପ୍ରତିଷ୍ଠା ଓ ନେତ୍ର ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି l ଗତକାଲି ରାତିରେ ହୋଇଛି ମରିଚି କୁଣ୍ଡ ଜଳ ନିଲାମ l ପରମ୍ପରା ଅନୁଯାୟି ମରିଚି କୁଣ୍ଡ ପ୍ରଥମ ଗରା ପାଣି ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଛି l ଗତକାଲି ରାତିରେ ମୁକ୍ତେଶ୍ଵର ମନ୍ଦିର ନିକଟରେ ଥିବା ମରିଚି କୁଣ୍ଡରୁ ଜଳ ଆସି ରଥ ପ୍ରତିଷ୍ଠା କରାଯାଇଥିଲା l ଏହାସହ ଏହି ମରିଚି କୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରଥମ ଗରା ଜଳ ରଥ ପ୍ରତିଷ୍ଠା ପାଇଁ ଯିବା ପରେ ଏହି ଜଳକୁ ନିଲାମ କରାଯାଇଥାଏ l ବଡୁ ସେବାୟତଙ୍କ ଦ୍ୱାରା ଏହି ନିଲାମ ପ୍ରକ୍ରିୟା କରାଯାଇଛି।

