ଭଦ୍ରକ : ପୁଣି ଯାତ୍ରା ବିବାଦ। ଦୁଇ ଯାତ୍ରା ପାର୍ଟିରେ ଜଣେ ଅଭିନେତାଙ୍କ ଫଟୋକୁ ନେଇ ଦେଖାଦେଇଛି ବିବାଦ। ଯାତ୍ରା ରାଜନନ୍ଦିନୀ ଓ ତୁଳସୀ ଗଣନାଟ୍ୟରେ ଅଭିନେତା ଟିକିନା ପାଣିଗ୍ରାହୀଙ୍କ ଫଟୋକୁ ନେଇ ଚର୍ଚ୍ଚା। ନୂତନ ଯାତ୍ରା ବର୍ଷ ୨୦୨୬-୨୭ ପାଇଁ ଜଣେ କଳାକାରଙ୍କ ଦୁଇଟି ଯାତ୍ରା ପାର୍ଟିରେ ପୋଷ୍ଟର ଦେଖିବାକୁ ମିଳିଛି। ଏପରିକି ଦୁଇଟି ପାର୍ଟିରୁ କଳାକାର ଜଣଙ୍କ ଅଗ୍ରୀମ ଅର୍ଥ ନେବା ମଧ୍ୟ ଅଭିଯୋଗ ହୋଇଛି। ୨୦୨୬-୨୭ ନୂତନ ଯାତ୍ରା ଋତୁ ପାଇଁ ଯାତ୍ରା ପାର୍ଟିମାନେ କଳାକାର ବୁକିଂ ଓ ଚୁକ୍ତି କରିବା ସହିତ ନିଜ ନିଜ ଷ୍ଟାର୍ କାଷ୍ଟରେ ଦୁଇ ପାର୍ଟି ସେହି ଅଭିନେତାଙ୍କ ପୋଷ୍ଟର ଜାରି କରିଛନ୍ତି । ଯାତ୍ରା ଜଗତର ଭେଟେରାନ କଳାକାର ଟିକିନା ପାଣିଗ୍ରାହୀଙ୍କ ଦୁଇଟି ପାର୍ଟିରେ ପୋଷ୍ଟର ଆସିବା ପରେ ବିବାଦ ଦେଖା ଦେଇଛି।
ପ୍ରଥମେ ରାଜନନ୍ଦିନୀ ଯାତ୍ରା ପାର୍ଟି ସହ ଚୁକ୍ତି କରିବା ପରେ ପାର୍ଟି ଟିକିନାଙ୍କ ଷ୍ଟାରକାଷ୍ଟ ପୋଷ୍ଟର ଜାରି କରିଥିଲା। ମାତ୍ର ପରେ ତୁଳସୀ ଗଣନାଟ୍ୟ ମଧ୍ୟ ଟିକିନାଙ୍କ ପୋଷ୍ଟର ଜାରି କରିଛି। ଯାହାକୁ ନେଇ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ଯାତ୍ରା ଅଭିନେତା ଟିକିନା ପାଣିଗ୍ରାହୀ। ତେବେ ଯାତ୍ରା ରାଜନନ୍ଦିନୀକୁ ନେଇଥିବା ଅଗ୍ରୀମ ଅର୍ଥ ଫେରାଇବାକୁ ଆସିଥିବା ବେଳେ ପାର୍ଟି ମ୍ୟାନେଜର ଓ କିଛି ଲୋକଙ୍କ ଉପସ୍ଥିତିରେ ଟିକିନାଙ୍କୁ ବୁଝାସୁଝା କରିବା ପରେ ସେ ନିଜର ଭୁଲ ସ୍ୱୀକାର କରିବା ସହିତ ରାଜନନ୍ଦିନୀରେ ଆଗାମୀ ବର୍ଷ କାମ କରିବାକୁ ସମ୍ମତି କରିଛନ୍ତି। ତେବେ ଦ୍ୱିତୀୟ ଥର ପାଇଁ ଅଗ୍ରୀମ ଅର୍ଥ ଆଣିବା ସହ ଚୁକ୍ତି କରିଥିବା ଟିକିନାଙ୍କୁ ତୁଳସୀ ଗଣନାଟ୍ୟ ଛାଡ଼ିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି।

