ଘଟଗାଁ : ରାସ୍ତାକଡ଼ରେ କୁଢ଼କୁଢ଼ ଅଳିଆ ଆବର୍ଜନା । ଗନ୍ଧରେ ଫାଟି ପଡୁଛି ସମଗ୍ର ଅଞ୍ଚଳ । ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡୁଛି । କେନ୍ଦୁଝର ଅଧିଷ୍ଠାତ୍ରୀ ଘଟଗାଁ ମା ତାରିଣୀ ପୀଠ ରାସ୍ତାକଡ଼ରେ ଏପରି ଦେଖିବାକୁ ମିଳିଛି । ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥାଏ । କିନ୍ତୁ ପରିତାପର ବିଷୟ ଘଟଗାଁକୁ ସଫା ରଖିବା ପାଇଁ କାହାର ନିଘା ନାହିଁ । ଆଉ ଦିନ କେଇଟା ପରେ ମା ତାରିଣୀଙ୍କ ବିଶ୍ଵ ପ୍ରସିଦ୍ଧ ଚଇତି ପର୍ବ ପାଳିତ ହେବ । ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ମାଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତ ରାସ୍ତା ପାର୍ଶ୍ୱରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଦେଇ ଯିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଘଟଗାଁ ବଜାରର ଅଳିଆ ଆବର୍ଜ୍ଜନା ଓ ସ୍ଥାନୀୟ ହୋଟେଲ୍ ଗୁଡିକରୁ ବାହାରୁଥିବା ଅଇଁଠା ଖଲି ରାସ୍ତା କଡ଼ରେ ପକାଉଥିବାରୁ ରାସ୍ତା ପାର୍ଶ୍ବ ଦୁର୍ଗନ୍ଧରେ ଫାଟି ପଡୁଛି। ରାସ୍ତା କଡରେ ଏପରି ଅଳିଆ ଆବର୍ଜ୍ଜନା ଦେଖି ନାକ ଟେକି ଫେରିଯାଉଛନ୍ତି ଭକ୍ତ। ଆବର୍ଜ୍ଜନା ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗାର ଆବଶ୍ୟକ ଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ପଡିନାହିଁ । ତେବେ ଯଥାଶୀଘ୍ର ଅଳିଆ ପକାଉଥିବା ଦୋକାନୀଙ୍କୁ ନୋଟିସ କରିବା ସହ ମାଇକ ଯୋଗେ ସଚେତନ କରିବାକୁ ଦାବି ହୋଇଛି। ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିବାବେଳେ ଅଳିଆ ଉଠାଇବା ସହ ପରିବେଶକୁ ସ୍ବଚ୍ଛ ରଖିବା ଜରୁରୀ ହୋଇପଡିଛି।
ରାସ୍ତାକଡ଼ରେ ଗଦା ହୋଇଛି କୁଢ଼କୁଢ଼ ଅଳିଆ ଆବର୍ଜନା

