ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ସିଏମ ନୀତୀଶ କୁମାର। ଏହା ପୂର୍ବରୁ ଶେଷଥର ଲାଗି କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ ନୀତୀଶ। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୭୫ ବର୍ଷ ବୟସ୍କ ନୀତୀଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆସନ୍ତାକାଲି ନୂଆ ସରକାର ଗଠନ ହୋଇପାରେ। ସମ୍ରାଟ ଚୌଧୁରୀ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସେହିପରି ଜେଡିୟୁରୁ ୨ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ।
୧୯୭୪ରେ ଜୟପ୍ରକାଶ ନାରାୟଣଙ୍କ ଜେପି ଆନ୍ଦୋଳନରେ ସକ୍ରିୟ ଭାଗ ନେଇଥିଲେ ନୀତୀଶ କୁମାର। ୧୯୭୫ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ । ୧୯୮୫ରେ ପ୍ରଥମଥର ପାଇଁ ବିହାର ବିଧାନସଭାରେ ବିଧାୟକ ହୋଇଥିଲେ । ୧୯୮୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ନୀତୀଶ । ୧୯୯୪ରେ ଜର୍ଜ ଫର୍ନାଣ୍ଡିଜଙ୍କ ସହିତ ସମତା ପାର୍ଟି ଗଠନ କରିଥିଲେ। ପରେ ସମତା ପାର୍ଟି ଜନତା ଦଳ (ୟୁନାଇଟେଡ୍)ରେ ମିଶିଯାଇଥିଲା। ସେ ବର୍ତ୍ତମାନ ଜେଡିୟୁର ଜାତୀୟ ସଭାପତି ଅଛନ୍ତି । ନିତୀଶ କୁମାର ବିହାରର ସବୁଠାରୁ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଥିଲେ। ପ୍ରାୟ ୨୧ ବର୍ଷ ସେ ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି । ମୋଟ ୧୦ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ନିତୀଶ କୁମାର । ପ୍ରଥମ ଥର ମାର୍ଚ୍ଚ ୨୦୦୦ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନିତୀଶ କୁମାର । ନିତୀଶ କୁମାରଙ୍କ ରାଜନୈତିକ ଜୀବନ ପ୍ରାୟ ୪୦ ବର୍ଷରୁ ଅଧିକ। ସେ ବିହାରରେ ସୁଶାସନ ବାବୁ ଭାବେ ପରିଚିତ । କିନ୍ତୁ ସହଯୋଗୀ ବଦଳାଇବା ପାଇଁ ସେ ବିବାଦରେ ମଧ୍ୟ ରହିଛନ୍ତି।

