ନନ୍ଦିଘୋଷ ବ୍ୟୁରୋ : ଆପଣ ଫିଲ୍ମ ‘ଧୁରନ୍ଧର’ରେ ଦେଖିଥିବେ ଅଜ୍ଞାତ ବନ୍ଧୁକଧାରୀ ମାନେ ଚୁପ୍ଚାପ୍ ଆସି, ସଠିକ୍ ଟାର୍ଗେଟରେ ଗୁଳିମାଡ଼ କରି ଅଦୃଶ୍ୟ ହୋଇଯାଉଥିଲେ । ଭାରତର ପ୍ରମୁଖ ଶତ୍ରୁମାନଙ୍କୁ ଟାର୍ଗେଟ କରୁଥିଲେ। କିଛି ସମାନ ଘଟଣା ପାକିସ୍ତାନରେ ଘଟିଛି । ଅଜ୍ଞାତ ବନ୍ଧୁକଧାରୀଙ୍କ ଟାର୍ଗେଟରେ ଆତଙ୍କବାଦୀ। ପାକିସ୍ତାନର ଲାହୋରରେ ଲସ୍କର-ଏ- ତୋଇବାର ସହ-ପ୍ରତିଷ୍ଠାତା ସଦସ୍ୟ ଏବଂ ଆତଙ୍କବାଦୀ ଆମିର ହମଜା ଉପରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡ଼ ପରେ ବର୍ତ୍ତମାନ ତା’ ଅବସ୍ଥା ଗୁରୁତର ରହିଛି। । ଏକ ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟାଳୟ ବାହାରେ ଅଜ୍ଞାତ ଆକ୍ରମଣକାରୀମାନେ ତାକୁ ଟାର୍ଗେଟ କରି ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଆମିର ହମଜାର ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହାଫିଜ ସୟିଦର ଡାହାଣ ହାତ ଭାବେ ପରିଚିତ ଆମିର ହମଜା ଭାରତରେ ହୋଇଥିବା ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣରେ ସାମିଲ ରହିଥିଲା । ପାକିସ୍ତାନରେ ପୁଣି ଅଜ୍ଞାତ ଆକ୍ରମଣକାରୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ଘଟଣା ଫିଲ୍ମ ‘ଧୁରନ୍ଧର’ ପରି ଲାଗୁଛି — ଚୁପ୍ଚାପ୍ ଆସିବା, ସଠିକ୍ ଟାର୍ଗେଟରେ ଗୁଳିମାଡ଼ କରିବା ଏବଂ ଅଦୃଶ୍ୟ ହୋଇଯିବା। ଏଥର ଅଜ୍ଞାତ ଆକ୍ରମଣକାରୀଙ୍କର ଟାର୍ଗେଟରେ ଥିଲା ଭାରତର ଏକ ପୁରୁଣା ଏବଂ ଭୟଙ୍କର ଶତ୍ରୁ ଆମିର ହମଜା। ଲାହୋରର ରାସ୍ତାରେ ଏକ ନ୍ୟୁଜ୍ ଚ୍ୟାନେଲ ଅଫିସ ବାହାରେ ତାକୁ ଘେରି ଲଗାତାର ଗୁଳିବର୍ଷଣ କରାଯାଇଥିଲା, ଯାହାଫଳରେ ବର୍ତ୍ତମାନ ତା’ ଅବସ୍ଥା ଗୁରୁତର ରହିଛି । ଏହି ଆକ୍ରମଣ ପାକିସ୍ତାନର ସୁରକ୍ଷା ଏଜେନ୍ସି ଗୁଡ଼ିକର ନିଦ ହଜାଇ ଦେଇଛି।
ଆମିର ହମଜା କେବଳ ଏକ ସାଧାରଣ ଆତଙ୍କବାଦୀ ନଥିଲା । । ସେ ହାଫିଜ ସଈଦ ସହିତ ମିଶି ଲସ୍କର-ଏ- ତୋଇବା ସ୍ଥାପନ କରିଥିଲା । ଲସ୍କର-ଏ- ତୋଇବାର ପ୍ରତିଷ୍ଠାତା ସଦସ୍ୟ ଥିଲା। ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ବ୍ରେନ୍ୱାସ୍ କରୁଥିଲା। ୨୦୧୨ ମସିହାରେ ଆମେରିକାର ସରକାର ତାକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ।
ସେ ଲସ୍କର ପାଇଁ ଅର୍ଥ ସଂଗ୍ରହ, ନୂଆ ଯୁବକଙ୍କ ନିଯୁକ୍ତି ଏବଂ ଧରାପଡ଼ିଥିବା ଆତଙ୍କବାଦୀଙ୍କୁ ଛଡ଼ାଇବା ପାଇଁ ଯୋଜନା କରିବାରେ ମଧ୍ୟ ଦକ୍ଷ ଥିଲେ । ୨୦୧୮ରେ ପାକିସ୍ତାନର ଉପରେ ଅନ୍ତର୍ଜାତୀୟ ଚାପ ବଢ଼ିବା ପରେ ଲସ୍କର ଉପରେ କାର୍ଯ୍ୟାନୁଷ୍ଠାନ ହେବା ସମୟରେ ସେ ‘ଜୈଶ-ଏ-ମନକାଫା’ ନାମକ ଏକ ନୂଆ ଶାଖା ତିଆରି କରିଥିଲା , ଯାହାଦ୍ୱାରା କାଶ୍ମୀରରେ ଆତଙ୍କବାଦ ଜାରି ରଖିପାରିବ।
ସେ ଭାରତରେ ହୋଇଥିବା ଅନେକ ଆକ୍ରମଣ ସମେତ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି। ହାମଜା ଆଫଗାନିସ୍ତାନ ମୁଜାହିଦ୍ଦିନର ଜଣେ ଭେଟେରାନ ସଦସ୍ୟ ଥିଲା । ଆମିର ହମଜା ,ମୌଲାନା ଆମିର ହମଜା ବା ଆବୁ ହମଜା ଭାବେ ମଧ୍ୟ ପରିଚିତ । ୨୦୦୦ ମସିହାର ଆରମ୍ଭରେ ଲସ୍କରର ଭାରତରେ ଆଧାର ସ୍ଥାପନ ଏବଂ ନେଟୱର୍କ ତିଆରି କରିବାର ଦାୟିତ୍ୱ ଆମିର ହମଜା ଉପରେ ଥିଲା । ଡିସେମ୍ବର ୨୮, ୨୦୦୫ରେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) କ୍ୟାମ୍ପସ୍ରେ ଆତଙ୍କବାଦୀ ଆକ୍ରମଣ , ୨୦୦୧ ପାର୍ଲାମେଣ୍ଟ ଉପରେ ଆକ୍ରମଣ, ୨୦୦୫ ଦିଲ୍ଲୀ ବୋମା ବିସ୍ଫୋରଣ,୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ, ୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣ , ୨୦୧୬ ଉରି ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ,୨୦୦୬ ନାଗପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟାଳୟ ଆକ୍ରମଣର ଯୋଜନାରେ ସାମିଲ ଥିଲା ।
ପାକିସ୍ତାନରେ ଗତ କିଛି ବର୍ଷ ଧରି ଲଶ୍କର-ଏ-ତୋୟବା (LeT), ଜୈଶ-ଏ-ମହମ୍ମଦ୍ (JeM) ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନର ନେତାମାନଙ୍କୁ ଅଜ୍ଞାତ ବନ୍ଦୁକଧାରୀମାନେ ଟାର୍ଗେଟ କରୁଛନ୍ତି । ପରମଜିତ୍ ସିଂହ ପଞ୍ଜୱାର ଖାଲିସ୍ତାନ୍ କମାଣ୍ଡୋ ଫୋର୍ସ (KCF) ମୁଖ୍ୟ, ଶାହିଦ୍ ଲତିଫ୍ ଜୈଶ-ଏ-ମହମ୍ମଦର କମାଣ୍ଡର, ମୁଫ୍ତି କାଇସର ଫାରୁକ୍ — ହାଫିଜ୍ ସଈଦ୍ଙ୍କ ନିକଟତମ ସହଯୋଗୀ,ଆବୁ ସଇଫୁଲ୍ଲା ଖାଲିଦ୍ ଲଶ୍କର-ଏ-ତୋୟବାର କମାଣ୍ଡର,ଆବୁ କାତାଲ୍ ହାଫିଜ୍ ସଈଦ୍ର ନିକଟତମ ସହଯୋଗୀ ,ମୌଲାନା କାଶିଫ୍ ଅଲ୍ଲୀ ଓ କାରୀ ଆବ୍ଦୁ ରହମାନ୍ ହାଫିଜ୍ ସଈଦ୍ଙ୍କ ଆତ୍ମୀୟ , ବିଲାଲ୍ ଆରିଫ୍ ସଲଫି ପ୍ରମୁଖ ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ୨୦୨୪ରୁ ୨୦୨୬ମଧ୍ୟରେ ଟାର୍ଗେଟ କରିଛନ୍ତି ।

