ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧରେ ଟ୍ରମ୍ପଙ୍କୁ ଫସାଇ ଦେଲେ କି ନେତାନ୍ୟାହୁ । ନିଜ ଫାଇଦା ପାଇଁ ଇରାନ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଟାଣି ଓଟାରି ଟ୍ରମ୍ପଙ୍କୁ ଫସାଇ ଦେଲେ କି ? ଆମେରିକାର ପୂର୍ବତନ ବୈଦେଶିକ ସଚିବ ଜନ୍ କେରିଙ୍କ ଏକ ଟିଭି ସାକ୍ଷାତକାର ପରେ ଏହି ସନ୍ଦେହ ଦୃଢ଼ୀଭୂତ ହୋଇଛି । ଜନ କେରି କହିଛନ୍ତି, ଆଗରୁ ମଧ୍ୟ ଇରାନ ଉପରେ ଆକ୍ରମଣ କରିବାକୁ ଆମେରିକାକୁ ସେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ । ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍, ବାରାକ ଓବାମା ଓ ବାଇଡେନଙ୍କୁ ସେ ଆଗରୁ ବି ବହୁତ ଥର ଏହା କହିଥିଲେ । କିନ୍ତୁ ତିନି ଜଣ ଯାକ ଇରାନ ଉପରେ ଆକ୍ରମଣ କରିବାକୁ ମନା କରିଦେଇଥିଲେ। ଇରାନ ଉପରେ ଆକ୍ରମଣ କରାଗଲା, ନେତୃତ୍ଵ ପରିବର୍ତ୍ତନ ହେବ ନାହିଁ ଏବଂ କିଛି ଲାଭ ଦେବ ନାହିଁ ବୋଲି ତିନି ଜଣ ଭାବିଥିଲେ। ଏହି ଆଲୋଚନାରେ ସେ ନିଜେ ସାମିଲ ଥିଲେ ମଧ୍ୟ କହିଛନ୍ତି ଜନ କେରି ।
ତେବେ ଯାହା ଜଣାପଡୁଛି, ଟ୍ରମ୍ପଙ୍କୁ ସେ ମନାଇବାରେ ସଫଳ ହୋଇଥିଲେ ଏବଂ ପ୍ରାୟ ଦୁଇ ମାସ ହେଲା ଯୁଦ୍ଧ ଚାଲିଛି । ଏହା ଦ୍ଵାରା ଆମେରିକାର ବହୁତ କ୍ଷତି ହେଉଥିବା କୁହାଯାଇଛି । ପ୍ରତି ସପ୍ତାହକୁ ୨ ବିଲିଅନ ଡଲାର ଖର୍ଚ୍ଚ ହେଉଥିବା ଜଣାପଡ଼ିଛି । ତେବେ ଜନ କେରିଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା ହେଉଛି, ନିଜ ଫାଇଦା ପାଇଁ ଟ୍ରମ୍ପଙ୍କୁ ଫସାଇ ଦେଇଛନ୍ତି ନେତାନ୍ୟାହୁ ।

