ନନ୍ଦିଘୋଷ ବ୍ୟୁରୋ : ଗୋଟେ ଛୁଆର ବାପା ହେବା ପରେ ବି ଯୁବତୀଙ୍କୁ ପ୍ରେମ । ମିଛ ବିବାହ ସହ ପ୍ରତାରଣା କରି ବନ୍ଧାହେଲା ପ୍ରତାରକ ପୁରୁଷ । ଏମିତି ଜଣେ ପ୍ରତାରକ ପୁରୁଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରୁ ଆସି ଭୁବନେଶ୍ବର ଶ୍ରୀ ବିହାରରେ ରହୁଥିବା ୪୭ ବର୍ଷିୟ ଦେବରାଜ ବିଶୋୟୀ । ମାମଲାରୁ ଜଣାପଡିଛି ଦେବରାଜ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ସମସ୍ତ ତଥ୍ୟ ଲୁଚାଇ ଅନ୍ୟଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏପରିକି ଗତ ୮ ମାସ ତଳେ ମନ୍ଦିରରେ ସମ୍ପୃକ୍ତ ଯୁବତୀ ତଥା ପୀଡିତାଙ୍କୁ ବିବାହ କରିବା ସହ ଉଭୟେ ସ୍ଵାମୀ ସ୍ତ୍ରୀ ଭାବେ ଭୁବନେଶ୍ବର ଶ୍ରୀ ବିହାର ଅଞ୍ଚଳରେ ରହୁଥିଲେ । ତେବେ ଗତ କିଛି ଦିନ ହେବ ଦେବରାଜ ହଠାତ୍ ଉଭାନ୍ ହୋଇଯାଇଥିଲେ । ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଦେବରାଜ ପୂର୍ବରୁ ବିବାହିତ । ତାଙ୍କର ପିଲାଟିଏ ମଧ୍ୟ ରହିଛି। ଏ ନେଇ ଯୁବତୀ ଦେବରାଜଙ୍କୁ ପଚାରିବାରୁ ଯୁବତୀଙ୍କ ସହ ଥିବା ସମ୍ପର୍କକୁ ସେ ଅସ୍ୱୀକାର କରିଥିଲେ । ଶେଷରେ ଯୁବତୀ ଜଣ ଙ୍କ ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରିବା ସହ ପ୍ରତାରକ ଦେବରାଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

