spot_img

Latest Posts

ଆଜି ନୂଆଦିଲ୍ଲୀରେ ଆମେରିକା ଓ ଭାରତ ବୈଦେଶିକ ମନ୍ତ୍ରୀଙ୍କ ବୈଠକ।

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଏହି ହାଇ-ପ୍ରୋଫାଇଲ୍ ଆଲୋଚନା ହେବ।

ଏହି ବୈଠକରେ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ କଥାବାର୍ତ୍ତା ହେବ। ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ କିପରି ଆହୁରି ସୁଦୃଢ଼ କରାଯାଇପାରିବ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦୁଇ ଦେଶ କେମିତି ଆହୁରି ବଡ଼ ଭୂମିକା ତୁଲାଇବେ, ସେ ନେଇ ରୋଡମାପ୍ ପ୍ରସ୍ତୁତ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ମାର୍କୋ ରୁବିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଭାରତକୁ ଆମେରିକାରୁ ତେଲ କିଣିବାକୁ ପ୍ରସ୍ତାବ ଦେଇଥିଲେ, ଯାହାଦ୍ୱାରା ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ସେ କହିଛନ୍ତି।

ଆସନ୍ତା ମଙ୍ଗଳବାର ଦିନ ‘କ୍ୱାଡ୍’ ରାଷ୍ଟ୍ର ସମୂହର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ତେବେ ଏହି ବଡ଼ ବୈଠକ ପୂର୍ବରୁ ରୁବିଓ ଏବଂ ଜୟଶଙ୍କରଙ୍କ ମଧ୍ୟରେ ହେଉଥିବା ଏହି ବ୍ୟକ୍ତିଗତ କଥାବାର୍ତ୍ତାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ମାର୍କୋ ରୁବିଓଙ୍କ ଭାରତ ଗସ୍ତ:
. କୋଲକାତା ଏହି ୪ ଦିନିଆ ଭାରତ ଗସ୍ତ କୋଲକାତାରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ସେ ମଦର ଟେରେସାଙ୍କ ଅନୁଷ୍ଠାନ ବୁଲି ଦେଖିଥିଲେ।

. ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା।

. ରବିବାର ଅର୍ଥାତ ଆଜି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ।

. ସୋମବାର (ଆସନ୍ତାକାଲି) ଆଗ୍ରା ଗସ୍ତ କରି ତାଜମହଲ ଦେଖିବେ ଏବଂ ଏହା ସହ ରାଜସ୍ଥାନର ଜୟପୁର ମଧ୍ୟ ଗସ୍ତ କରିବେ।

. ମଙ୍ଗଳବାର (ଶେଷ) କ୍ୱାଡ୍ ବୈଠକରେ ଯୋଗଦାନ ସହିତ ତାଙ୍କର ଏହି ଭାରତ ଗସ୍ତ ଶେଷ ହେବ।

ଏହି ଗସ୍ତ ଦ୍ୱାରା ଆଗାମୀ ଦିନରେ ଭାରତ ଓ ଆମେରିକାର ବାଣିଜ୍ୟିକ, ରଣନୀତିକ ଓ ଶକ୍ତି ସମ୍ପର୍କ ଏକ ନୂଆ ମୋଡ଼ ନେବ ବୋଲି ଆଶା କରାଯାଉଛି।

Latest Posts

Don't Miss