spot_img

Latest Posts

ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ; ଭତ୍ତା ନମିଳିବାରୁ ବୃଦ୍ଧା ମାଆଙ୍କୁ ଭାରରେ ବୋହି ଧାରଣାସ୍ଥଳକୁ ଆଣିଲ ପୁଅ

ନନ୍ଦିଘୋଷ ବ୍ୟୁରୋ : ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର। ବାରମ୍ବାର ଦାବି ପରେ ୮୨ ବର୍ଷୀୟ ବୃଦ୍ଧାଙ୍କୁ ଭତ୍ତା ନମିଳିବାରୁ ବୃଦ୍ଧା ମାଆଙ୍କୁ ଭାରରେ ବୋହି ଧାରଣାସ୍ଥଳକୁ ଆଣିଲ ପୁଅ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ଚାଲିଥିବା ଗଣଧାରଣାରେ ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି । ସରକାରୀ ଯୋଜନାକୁ ଡିଜିଟାଇଜେସନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନିଜର ମୌଳିକ ଅଧିକାର ଟିକକ ପାଇଁ ଜଣେ ପୁଅ ନିଜର ବୃଦ୍ଧା ମାଆକୁ ଭାରରେ ବୋହି ପଞ୍ଚାୟତ କାର୍ଯ୍ୟାଳୟ ଆଗକୁ ଆଣିବାକୁ ପଡ଼ିଛି । ରାମଚନ୍ଦ୍ରପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡର ୮୨ ବର୍ଷୀୟା ମହିଳା ଚନ୍ଦ୍ରମଣି ମାଝୀ ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ । ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି ଏବଂ ଆବେଦନ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ପୁଅ ବନମାଳୀ ନିଜ ମାଆଙ୍କୁ ଭାରରେ ବସାଇ କାନ୍ଧରେ ବୋହି ଆନ୍ଦୋଳନ ସ୍ଥଳକୁ ନେଇ ଆସିଥିଲେ । ମାଆଙ୍କୁ ବୋହି ଆଣୁଥିବା ବେଳେ ପଛରେ ପାଣି ହାଣ୍ଡି ଓ ରୋଷେଇ ସାମଗ୍ରୀର ଭାର ମଧ୍ୟ ଝୁଲୁଥିବାର ଦେଖାଯାଇଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ପଞ୍ଚାୟତରେ ବ୍ୟାପକ ଅନିୟମିତତା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଥିବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତବାସୀ ଗଣଧାରଣା ଦେଇଥିଲେ।  ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଗରିବ ଶ୍ରେଣୀର ଲୋକଙ୍କୁ ବାଦ୍ ଦିଆଯାଇଛି । ବୃଦ୍ଧାବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭତ୍ତା ଯୋଗାଇବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ୮୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ହିତାଧିକାରୀ ଏବେ ମଧ୍ୟ ଭତ୍ତାରୁ ବଞ୍ଚିତ ଥିବ ଅଭିଯୋଗ ହୋଇଛି । ତେବେ ଧାରଣାକାରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ।

Latest Posts

Don't Miss