ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ସହରର ସେକ୍ଟର ଅଞ୍ଚଳରେ ଝଡବର୍ଷାରେ ଵ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି । ଝଡବର୍ଷା ଓ କାଳ ବୈଶାଖୀ ଯୋଗୁଁ ସେକ୍ଟର ଅଞ୍ଚଳର ଅନେକ ସ୍ଥାନରେ ଵିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ସହ ଶହଶହ ଗଛ ଉପୁଡି ପଡିଛି । ଗଛପଡି ଵହୁ ଘର ଭାଙ୍ଗିଵା ସହ କାର ଓ ଦୁଇ ଚକିଆ ଗାଡି ଭାଙ୍ଗି ଥିବା ଅଭିଯୋଗ ହୋଇଛି । ବଡ ଗଛ ଉପୁଡି ପଡିବାରୁ ମନ୍ଦିରର କିଛି ଅଂଶ ସହ ପାଚେରୀ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ଅପରାହ୍ନରେ ଝଡବର୍ଷା ପର ଠାରୁ ବିଭିନ୍ନ ସେକ୍ଟର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ସେକ୍ଟର ବାସିନ୍ଦା ଅଭିଯୋଗ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଓ ଅଗ୍ନିଶମ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ପ୍ରଶାସନ ପକ୍ଷରୁ ୭ଟି ଟିମ ଗଠନ କରାଯାଇ କ୍ଷୟକ୍ଷତି ଆକଳନ କରୁଛନ୍ତି। କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦିଆଯିବା ସହ ଖାଦ୍ୟ ଯୋଗାଇ ଦିଆଯାଉଥିଵା ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

