ବାଲେଶ୍ବର : ବେଦୀରୁ ବରକୁ ଉଠାଇ ନେଲେ ଅଫିସ୍ ସାର୍ । ଅଧା ବିବାହରୁ ବଦଳିଗଲା ପ୍ରେମିକର ମନ । ନ୍ୟାୟ ପାଇଁ ଥାନାରେ ଜିଦ୍ରେ ବସିଛି କନ୍ୟା । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିରରେ ଘଟିଛି ଏପରି ଘଟଣା ।ରେଜିଷ୍ଟ୍ରି ମ୍ୟାରେଜ୍ ପରେ ବେଦୀରେ ବସିଥିଲା ବର । ହେଲେ ବେଦୀରେ ବସିବା ପରେ ବଦଳିଗଲା ବରର ମନ । ସ୍ତ୍ରୀକୁ ବେଦୀରୁ ଛାଡ଼ି ପରିବାର ଓ ଅଫିସ୍ ସାର୍ଙ୍କ କଥାରେ ପଡ଼ି ପଳାଇଯାଇଥିଲା । ଘଟଣା ପରେ ବରକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କନ୍ୟା ଲାବଣ୍ୟ ସ୍ମିତା ମହାନ୍ତ ଏବଂ ବର କ୍ଷୀରୋଦ ମହାନ୍ତଙ୍କ ମଧ୍ୟରେ ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କ ରହିଥିଲା ।
୩ ମାସ ହେବ ଉଭୟ ଘର ଛାଡ଼ି ବାଲେଶ୍ଵର ସହରରେ ଏକ ଭଡ଼ାଘରେ ଏକାଠି ରହୁଥିଲେ । ଉଭୟଙ୍କ ସହମତିରେ କୋର୍ଟରେ ରେଜିଷ୍ଟ୍ରି ମ୍ଯାରେଜ ପରେ ବୈଦିକ ରୀତିନୀତି ଅନୁସାରେ ବିବାହ ପାଇଁ ରାଧାକୃଷ୍ଣ ମନ୍ଦିରରେ ବିବାହ କାର୍ଯ୍ୟ ଚାଲିଥିଲା। ବିବାହ ଅଧା ଚାଲିଥିବା ସମୟରେ ବର କ୍ଷୀରୋଦ କାମ କରୁଥିବା ଏୟାରଟେଲ୍ ଅଫିସର କିଛି ସାର୍ ଏବଂ ଅନ୍ୟ ବ୍ୟକ୍ତିମାନେ ହଠାତ୍ ମନ୍ଦିର ଭିତରକୁ ଧସେଇ ପଶିଥିଲେ । ସେମାନେ କ୍ଷୀରୋଦଙ୍କୁ ବେଦୀରୁ ଉଠାଇ ନେବାକୁ ଉଦ୍ୟମ କରିବା ସହ ତାଙ୍କ ମନ ପରିବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ । ଏହାପରେ କ୍ଷୀରୋଦ ହଠାତ୍ ବିବାହ କରିବାକୁ ମନା କରିଦେଇଥିଲେ । ଅଭିଯୋଗ ପରେ ସହଦେବଖୁଣ୍ଟା ଥାନା ପୋଲିସ ବର କ୍ଷୀରୋଦ ମହାନ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ନ୍ୟାୟ ପାଇଁ ଜିଦ୍ ଧରି ଥାନାରେ ବସିଛନ୍ତି କନ୍ଯା ।

