ନନ୍ଦିଘୋଷ ବ୍ୟୁରୋ : ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁ ଜିଲ୍ଲାର ଉରାଣ୍ଡାବେଡାରେ ଅଘଟଣ। ପଞ୍ଚମ ବାଟାଲିୟନ ଛତିଶଗଡ଼ ସଶସ୍ତ୍ର ବାହିନୀ ଶିବିରରେ ଜଣେ ସୈନିକ ନିଜ ସର୍ଭିସ୍ ରାଇଫଲ୍ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯବାନ ହେଲେ ଯୋଗେନ୍ଦ୍ର ନେତାମ । ସେ CAFର ପଞ୍ଚମ ବାଟାଲିୟନରେ ନିୟୋଜିତ ଥିଲେ। ଶିବିରର ସୁରକ୍ଷା ଦାୟିତ୍ୱରେ ଥିବା ଯୋଗେନ୍ଦ୍ର ନିଜ ଇନସାସ ସର୍ଭିସ୍ ରାଇଫଲ୍ ବାହାର କରି ନିଜକୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ଗୁଳିର ଶବ୍ଦ ଶୁଣି ଅନ୍ୟ ସୈନିକମାନେ ଘଟଣାସ୍ଥଳକୁ ଆସି ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସୂଚନା ପାଇ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ବ୍ୟକ୍ତିଗତ ଚାପ କିମ୍ବା ମାନସିକ ଅଶାନ୍ତି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି l

