ମୟୂରଭଞ୍ଜ: ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ଏହି ବିଶେଷ ଅବସରକୁ ନିଜ ଜନ୍ମମାଟିରେ ପାଳନ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି। ଗତକାଲିଠାରୁ ଓଡ଼ିଶା ଗସ୍ତରେ ଆସିଥିବା ମହାମହିମ, ମୟୂରଭଞ୍ଜ ରାଇରଙ୍ଗପୁର ସ୍ଥିତ ତାଙ୍କ ନିଜ ବାସଭବନରେ ରାତ୍ରୀଯାପନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜନ୍ମମାଟିରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ଆଜିର ଦିନଟି ଓଡ଼ିଶାବାସୀଙ୍କ ପାଇଁ ବେଶ୍ ଖାସ୍ ହେବାକୁ ଯାଉଛି, କାରଣ ଆଜି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବେ ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୟୂରଭଞ୍ଜରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ।
ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟ୍ର ଅନେକ ପ୍ରମୁଖ ମନ୍ତ୍ରୀ ଗତକାଲିଠାରୁ ହିଁ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି। ମହାମହିମଙ୍କ ସ୍ୱାଗତ ଓ ଜନ୍ମଦିନ ଉତ୍ସବ ପାଇଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜିର କାର୍ଯ୍ୟସୂଚୀ?
. ପାହାଡ଼ପୁର ପରିଦର୍ଶନ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରଥମେ ମହାମହିମଙ୍କ ଶାଶୁଘର ଗାଁ ‘ପାହାଡ଼ପୁର’ ଗସ୍ତ କରିବେ ଏବଂ ସେଠାରେ ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ର ପରିଦର୍ଶନ କରିବେ।
. ଦାଣ୍ଡବୋଷରେ ସାଧାରଣ ସଭା: ଏହାପରେ ଦାଣ୍ଡବୋଷ ଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଛି। ଏହି ସଭାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

