ନନ୍ଦିଘୋଷ ବ୍ୟୁରୋ : ପୁଣି ଥରେ ନିର୍ଭୟାକାଣ୍ଡର ପୁନରାବୃତ୍ତି। ଜଣେ ବିବାହିତା ମହିଳାଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ। ଏ ନେଇ ମହିଳାଙ୍କ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି। ଏଭଳି ସାଂଘାତିକ ଘଟଣା ଘଟିଛି ମୟୂରଭଞ୍ଜ ବେତନଟୀ ଅଞ୍ଚଳରେ। ପ୍ରବଳ ରକ୍ତସ୍ରାବରୁ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ମହିଳାଙ୍କ ଯୌନାଙ୍ଗରେ ଏକ ଶକ୍ତ ଜିନିଷ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ସ୍ବାମୀ ଏତଲା ଦାୟର କରିବା ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ନେବାରୁ ଜଣାପଡ଼ିଛି, ଗତ ଶୁକ୍ରବାର ସ୍ବାମୀ ଓ ସ୍ତ୍ରୀ ମଧ୍ଯରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଦିନ ୧୦ଟାରେ ଘରୁ ମହିଳା ଜଣଙ୍କ ପଳାଇଆସିଥିଲେ। ପରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ଏକାଠି ହୋଇ ବାରିପଦା ଆସିଥିଲେ। ବାରିପଦାରେ କିଛି ଜିନିଷ ପତ୍ର କିଣାକିଣି କରିବା ସହ ଦିନ ଗୋଟାଏ ୧୫ ମିନିଟରେ ଏକ ଲଜରେ ଯାଇ ବିଶ୍ରାମ ନେଇଥିଲେ। ହେଲେ ମହିଳା ଜଣଙ୍କ ବେତନଟୀ ସ୍ଥିତ ତାଙ୍କ ଘରକୁ ଫେରିନଥିଲେ। ସନ୍ଧ୍ଯା ହେବାରୁ ମହିଳାଙ୍କ ସ୍ବାମୀ ବେତନଟୀ ପୋଲିସରେ ଖବର ଦେଇଥିଲେ। ଏପରିକି ମହିଳାଙ୍କ ମୋବାଇଲକୁ ସ୍ବାମୀ ଯୋଗାଯୋଗ କରିଥିଲେବି କୌଣସି ଉତ୍ତର ମିଳିନଥିଲା। ପ୍ରାୟ ରାତି ୧୧ଟାରେ ସମ୍ପୃକ୍ତ ମହିଳାଙ୍କୁ ପୁରୁଷ ବନ୍ଧୁ ମହିଳାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ। ଲଜରୁ ମହିଳା ଓ ପୁରୁଷ ବନ୍ଧୁ ଯିବା ଆସିବାର ସିସିଟିଭି ଫୁଟେଜ ପୋଲିସ ଜବତ କରିଛି। ସେପଟେ ମହିଳାଙ୍କ ରକ୍ତସ୍ରାବ ହେଉଥିବା ମେଡିକାଲରେ ଭର୍ତ୍ତି କରିଥିଲେ। ସେହିଦିନ ବିଳମ୍ବିତ ରାତିରେ ପୁରୁଷ ବନ୍ଧୁ ଜଣଙ୍କ ମହିଳାଙ୍କ ସ୍ବାମୀଙ୍କୁ ଫୋନ କରି ବାରିପଦା ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଆସିବାକୁ କହିଥିଲେ। ପରେ ବେତନଟୀ ପୋଲିସ ଓ ସ୍ବାମୀ ମେଡିକାଲରେ ପହଞ୍ଚିବା ପରେ ମହିଳା ଜଣଙ୍କ ପ୍ରାଣ ହରାଇଥିବା ଜାଣିବାକୁ ପାଇଥିଲେ। ଅତିରିକ୍ତ ରକ୍ତସ୍ରାବ ହେବାରୁ ମହିଳା ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିବାରୁ ପୁରୁଷବନ୍ଧୁ ଦୁଷ୍କର୍ମ କରି ଏପରି କାଣ୍ଡ ଭିଆଇଥିବା ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ। ସ୍ବାମୀଙ୍କ ଏତଲା ଆଧାରରେ ପୋଲିସ ପୁରୁଷ ବନ୍ଧୁ ଜିତେନ୍ଦ୍ର ମହନ୍ତଙ୍କ ନାମରେ ଗତକାଲି ମାମଲା ଦରଜ କରିଛି।

