ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଅଯୋଧ୍ୟା ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଜେରା କରିବ। ଅଭିଯୁକ୍ତ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ରାମ ଶଙ୍କର ଯାଦବ, କରୁଣେଶ ପାଣ୍ଡେ ଏବଂ ମନୀଷ ଯାଦବଙ୍କ ବୟାନ ଜେଲ ଭିତରେ ରେକର୍ଡ କରାଯିବ। ଏହି ବୟାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ, ଅଧିକ ତଥ୍ୟ ଆଦାୟ କରିବା ପାଇଁ ପୋଲିସ ସେମାନଙ୍କୁ ନିଜରିମାଣ୍ଡରେ ନେବାର ମଧ୍ୟ ସମ୍ଭାବନା ରହିଛି। କୋଟି କୋଟି ଟଙ୍କାର ଏହି ହେରଫେର ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଅଯୋଧ୍ୟା ସନ୍ଥ ମଣ୍ଡଳ ପୂର୍ଣ୍ଣ ସମର୍ଥନ ଜଣାଇଛି। ସଂଗଠନ କହିଛି ଯେ ସେମାନେ ଚମ୍ପତ ରାୟଙ୍କ ଇସ୍ତଫା ଗ୍ରହଣ କରିବେ ନାହିଁ। ଏହି ଚୋରି ମାମଲାର ଏସଆଇଟି ତଦନ୍ତ ପାଇଁ ଖୋଦ୍ ଚମ୍ପତ ରାୟ ହିଁ ଅନୁରୋଧ କରିଥିଲେ, ତେଣୁ ଏହି ଲୁଟ୍ ମାମଲାରେ ତାଙ୍କର କୌଣସି ହାତ ନାହିଁ।
ଅନ୍ୟପଟେ, ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ରାମ ମନ୍ଦିର ଦାନ ଅନିୟମିତତା ମାମଲାରେ ସିବିଆଇ (CBI) ତଦନ୍ତ ଦାବି କରୁଥିବା ଏକ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ବିଚାରପତି ରାଜନ ରାୟ ଏବଂ ବିଚାରପତି ମନଜୀବ ଶୁକ୍ଳାଙ୍କ ଡିଭିଜନ ବେଞ୍ଚ ଜୁନ୍ 12 ରେ ଦାଖଲ ହୋଇଥିବା ଏହି ଆବେଦନର ଶୁଣାଣି କରିବେ। ଆବେଦନକାରୀ ଏଫଆଇଆର୍ ପଞ୍ଜିକରଣ ସହ ନିରପେକ୍ଷ ତଦନ୍ତ ଏବଂ ମହାଲେଖା ନିୟନ୍ତ୍ରକ ଦ୍ୱାରା ମନ୍ଦିର ଦାନର ଅଡିଟ୍ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ଦାନ ଅନିୟମିତତା ବିବାଦ ବଢ଼ୁଥିବା ବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଉଚ୍ଚସ୍ତରୀୟ ବୈଠକ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏହି ବୈଠକରେ SIT ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟର ସମୀକ୍ଷା କରାଯିବ। ଏହାସହ ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ପୂର୍ବତନ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଅଭିନାଶ ଶୁକ୍ଲା ଜେରା ସମୟରେ ଅନେକ ନୂଆ ଆର୍ଥିକ ତଥ୍ୟ ପ୍ରକାଶ କରିଛି। ସେ ମନ୍ଦିରରୁ ଆତ୍ମସାତ କରିଥିବା ଟଙ୍କାରୁ ପ୍ରାୟ ୧୯ ଲକ୍ଷ ଟଙ୍କା ନିଜ ପରିବାର ଓ ବନ୍ଧୁମାନଙ୍କ ପାଇଁ ଖର୍ଚ୍ଚ କରିଥିବା ସ୍ୱୀକାର କରିଛି।
ଜଣେ ଭାଇଙ୍କ ବିବାହରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଅନ୍ୟ ଜଣେ ଭାଇଙ୍କୁ ୫ ରୁ ୬ ଲକ୍ଷ ଟଙ୍କା ଦେଇଥିଲା। ପ୍ରାୟ ୩.୫ ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍ କିଣିଥିଲା। ଜଣେ ବନ୍ଧୁଙ୍କୁ ୨.୫ ଲକ୍ଷ ଟଙ୍କା ଦେବା ସହ ଏକ ମହଙ୍ଗା ମୋବାଇଲ୍ ଫୋନ୍ ଉପହାର ଦେଇଥିଲା। ଏହା ବ୍ୟତୀତ ଅନ୍ୟ କେତେକ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ କିଛି କିଛି ଟଙ୍କା ବାଣ୍ଟିଥିଲା।
ତେବେ ପୂର୍ବରୁ ପୋଲିସ ଶୁକ୍ଳାଙ୍କ ନିକଟରୁ ନଗଦ ୨୦.୩୯ ଲକ୍ଷ ଟଙ୍କା, ୧,୧୨୧ ଆମେରିକୀୟ ଡଲାର, ସୁନା ଓ ରୂପା ଅଳଙ୍କାର ସମେତ ଏକ SUV ଗାଡ଼ି ଜବତ କରିସାରିଛି।

