ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଅପମିଶ୍ରିତ ପନିର ଓ ବାସି ଖାଦ୍ୟକୁ ନେଇ ବଢ଼ିଛି ଚିନ୍ତା। ଆଗକୁ ପାର୍ବଣ ଥିବାରୁ ଖାଦ୍ୟର ମାନ ଯାଞ୍ଚ ପାଇଁ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ଆରମ୍ଭ ହୋଇଛି। ଆଜି କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ ଥିବା ନ୍ୟୁ ଦିଲ୍ଲୀ ସୁଇଟ୍ସରେ ଫୁଡ୍ ସେଫ୍ଟି ଟିମ୍ ଚଢ଼ାଉ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅପମିଶ୍ରିତ ଖାଦ୍ୟ ସମ୍ପର୍କିତ କୌଣସି ସୁରକ୍ଷା ତ୍ରୁଟି ମିଳିନଥିବା ବେଳେ ଖରାପ ଫ୍ଲୋରିଂ ପାଇଁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହ ଆଗକୁ ଖାଦ୍ୟର ମାନ ଓ ପରିଷ୍କାର ପରିଚ୍ଛନ୍ନତା ଦିଗରେ ସଚେତନ ରହିବାକୁ କଡ଼ା ଚେତାବନୀ ଦିଆଯାଇଛି। ଗତକାଲି ମଧ୍ୟ ଭୁବନେଶ୍ୱରର ରସୁଲଗଡ଼, ହଂସପାଳ, ପାତ୍ରପଡ଼ା, ରବୀନ୍ଦ୍ର ମଣ୍ଡପ ନିକଟ ଓ କଳିଙ୍ଗ ନଗର ଆଦି ଅଞ୍ଚଳରେ ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଧରପଗଡ଼ ଓ ଯାଞ୍ଚ କରାଯାଇଥିଲା। ଏହି ସମୟରେ ପ୍ରାୟ ୬୬ କେଜି ଅସ୍ୱାସ୍ଥ୍ୟକର ଖାଦ୍ୟ ନଷ୍ଟ କରାଯାଇଥିଲା।
ଆଗାମୀ ଦିନରେ ମଧ୍ୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏଭଳି ଚଢ଼ାଉ ଓ ଯାଞ୍ଚକୁ ଆହୁରି ବ୍ୟାପକ କରାଯିବ ବୋଲି ଫୁଡ୍ ସେଫ୍ଟି ଅଧିକାରୀ ଚେତାବନୀ ଦେଇଛନ୍ତି।

