ନନ୍ଦିଘୋଷ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର। ଆଉ ସମୁଦ୍ର ତଟ କ୍ଷୟକୁ ନେଇ ସରକାରଙ୍କୁ ଘାରିଛି ସୁରକ୍ଷା ଚିନ୍ତା। ସମୁଦ୍ର କୂଳରେ ନିର୍ମାଣ ହେବ କଂକ୍ରିଟ୍ ୱାଲ୍, ସୃଷ୍ଟି ହେବ ହେନ୍ତାଳ ବଣ। ଆବଶ୍ୟକ ସ୍ଥାନରେ ଖୋଳାଯିବ ନଦୀ ମୁହାଣ ଏବଂ ନଦୀରୁ କଢ଼ାଯିବ ପଟୁ। କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ସମୁଦ୍ର ତଟ କ୍ଷୟ ରୋକିବାକୁ ପ୍ରତିକାର ବ୍ୟବସ୍ଥା କରାଯିବ। ଏଥିପାଇଁ ଅଧ୍ୟୟନ କରିବାକୁ ଓଡ଼ିଶାର ଅଧିକାରୀମାନେ କର୍ଣ୍ଣାଟକ ଗସ୍ତରେ ଯିବେ। ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅନୁଦାନ ଓ ଋଣ ମିଶାଇ ପ୍ରାୟ ୨ ହଜାରରୁ ୨୫୦୦ କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ରାପଡ଼ାର ସାତଭାୟା, ଜଗତସିଂହପୁରର ଶିଆଳୀ ବେଳାଭୂମି ଏବଂ ଗଞ୍ଜାମର ରମେୟାପାଟଣାରେ ସମୁଦ୍ର ତଟ କ୍ଷୟ ସ୍ଥିତି ସଙ୍ଗୀନ ହୋଇଥିବାରୁ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।
ଧୀରେ ଧୀରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଗମ୍ଭୀର ରୂପ ନେଉଥିବା ବେଳେ ଓଡ଼ିଶାରେ ସମୁଦ୍ର କୂଳ ଖାଇବା ଏକ ବଡ଼ ସମସ୍ୟା ହୋଇଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ଓ ପୁରୀ ଭଳି ରାଜ୍ୟର ୬ଟି ଜିଲ୍ଲାରେ ସମୁଦ୍ର ତଟ କ୍ଷୟ ନୂଆ ସମସ୍ୟା ସୃଷ୍ଟି କରିପାରେ। ସମୁଦ୍ର ତଟ କ୍ଷୟ କିପରି ରୋକାଯିବ ଏବଂ ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା କିପରି ସୁନିଶ୍ଚିତ କରାଯିବ, ସେନେଇ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ପ୍ରାଥମିକ ରିପୋର୍ଟ ଉପରେ ଆଲୋଚନା ହୋଇଛି। ଜଳସମ୍ପଦ, ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସହ ରାଜସ୍ୱ ବିଭାଗ ଏନେଇ ବିସ୍ତୃତ ଆଲୋଚନା କରିଛି। ବିଭାଗୀୟ ଅଧିକାରୀମାନେ ମଧ୍ୟ ରିପୋର୍ଟର ପରୀକ୍ଷା ଓ ନିରୀକ୍ଷା ସାରିଛନ୍ତି।
ମତ୍ସ୍ୟଜୀବୀଙ୍କ ଜୀବନ ସୁରକ୍ଷା, ସମୁଦ୍ର ତଟ ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶର ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳସମ୍ପଦ, ରାଜସ୍ୱ ସମେତ ଅନ୍ୟ ବିଭାଗଗୁଡ଼ିକ ମିଳିତ ଭାବେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ଓଡ଼ିଶାରେ ମଧ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ସହଯୋଗରେ ଏଭଳି କାର୍ଯ୍ୟ କରାଯିବ। ଭିତ୍ତିଭୂମି ସୁଦୃଢ଼ କରିବା ସହ ହେନ୍ତାଳ ଓ ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିପର୍ଯ୍ୟୟର ଆଶଙ୍କା ବଢ଼ୁଥିବାରୁ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି।

