ନନ୍ଦିଘୋଷ ବ୍ୟୁରୋ : ପିଡିଏସ ଚାଉଳ ପାଇଁ ହନ୍ତସନ୍ତ ହିତାଧିକାରୀ । ତିନି ମାସ ହେଲା ମିଳୁନି ରାସନ । ସରକାରଙ୍କ ଗରିବ ଖାଉଟି କଲ୍ୟାଣ ଯୋଜନାରୁ ବଞ୍ଚିତ ହଜାର ହଜାର ପରିବାର ।… ପୁରୀ ଜିଲ୍ଲା ଗୋପ ବ୍ଲକ ଅନର୍ଗତ ସୁତନ, ତରକୋର ଓ ଡଭାର ପଞ୍ଚାୟତରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗତ ଜାନୁଆରୀ ମାସରେ ତରକୋର ପଞ୍ଚାୟତ ଡିଲରଙ୍କ ମୃତ୍ୟୁ ପରେ, ରାସନ ସାମଗ୍ରୀ ବଣ୍ଟନ ପାଇଁ ନିକଟସ୍ଥ ସୁତନ ପଞ୍ଚାୟତ ଡ଼ିଲର ରବି ପ୍ରଧାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ହେଲେ ଗତ ଜୁନ ମାସରେ ରବି ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା ।
ଏନେଇ ଗୋପ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ପୁରୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଉପ ଜିଲ୍ଲାପାଳ ବଡ଼ତରା ଗ୍ରାମପଞ୍ଚାୟତ ଡିଲର ଗିରିଧାରୀ ପ୍ରଧାନଙ୍କୁ ଦୁଇ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟନ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତ କରିଥିଲେ । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସର କୋଟା ଚାଉଳ ଡିଲରଙ୍କୁ ଦିଆ ନଯିବା ଦ୍ବାରା ସୁତନ ଓ ତରକୋର ପଞ୍ଚାୟତର ୧୧ ଶହ ୫୮ରୁ ଊର୍ଦ୍ଧ୍ବ ପରିବାର ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି । ସେହିଭଳି ଡଭାର ପଞ୍ଚାୟତ ଡିଲର ଗୌତମ ପଣ୍ଡା ଗତ ମେ’ ମାସରେ ଡିଲରସିପରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ । ପରେ ରାହାଙ୍ଗରଡ଼ା ପଞ୍ଚାୟତ ଡିଲରଙ୍କୁ ଯୋଗାଣ ବିଭାଗ ଟ୍ୟାଗ କରିଥିଲେ । ହେଲେ ଚାଉଳ ଉଠାଣ ପାଇଁ ଉପଜିଲ୍ଲାପାଳ ଅନୁମତି ଦେଇ ନଥିବାରୁ ପାଖାପାଖି ୭୮୩ ଜଣ ହିତାଧିକାରୀଙ୍କୁ ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ମିଳିନି ।…
ଗୋପ ବ୍ଲକର ବାକି ୨୮ଟି ପଞ୍ଚାୟତବାସୀ ରାସନ ପାଇଛନ୍ତି । ହେଲେ ସୁତନ, ତରକୋର ଓ ଡଭାର ପଞ୍ଚାୟତର ଅଢେଇ ହଜାରରୁ ଉର୍ଦ୍ଧ୍ଵ ପରିବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ଅଛନ୍ତି । ଭାତ ମୁଠେ ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । ଦଶ ଦିନ ମଧ୍ୟରେ ହିତାଧିକାରୀ ମାନେ ଚାଉଳ ପାଇବେ କହିଛନ୍ତି ବିଡିଓ ।…
ପ୍ରଶାସନିକ ଅବହେଳାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ତୁରନ୍ତ ଉଚ୍ଚପଦସ୍ତ ଅଧିକାରୀ ଘଟଣାରେ ହସ୍ତକ୍ଷେପ କରିବା ସହ ହିତାଧିକାରୀଙ୍କୁ ଚାଉଳ ଯୋଗାଇ ଦେବାକୁ ଦାବି ହୋଇଛି ।

