ନନ୍ଦିଘୋଷ ବ୍ୟୁରୋ : ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ନେପାଳ । ଆକସ୍ମିକ ବନ୍ୟା ଯୋଗୁଁ ଦେଶର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଉପରେ ପଡ଼ିଛି ବଡ଼ ପ୍ରଭାବ । ଅନେକ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ‘୫୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା’ କମିଯାଇଛି । ଏଭଳି ସ୍ଥିତିରେ ନେପାଳର ସହାୟତା ପାଇଁ ଆଗେଇ ଆସିଛି ଭାରତ । ନେପାଳରେ ବିଦ୍ୟୁତ୍ ଅଭାବ ଦେଖାଦେଲେ ଭାରତ ଆବଶ୍ୟକତା ଅନୁସାରେ ଅତିରିକ୍ତ ବିଦ୍ୟୁତ୍ ଯୋଗାଇବାକୁ ପ୍ରସ୍ତୁତ ରହିଛି । ଏହାଦ୍ୱାରା ବନ୍ୟା ପରେ ନେପାଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବାରେ ସହାୟତା ମିଳିବ।
ବନ୍ୟାରେ ନେପାଳର ୯ଟି ଜଳବିଦ୍ୟୁତ୍ ପ୍ରକଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ କାମ କରୁଥିବା ପ୍ରାୟ ୫୩୭ ଜଣ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି । କାଦୁଅ ଓ ମାଟିରେ ଅନେକ ସୁଡ଼ଙ୍ଗ ବନ୍ଦ ହୋଇଯାଇଥିବାରୁ ଭିତରେ ଫସିଥିବା ଲୋକଙ୍କୁ ଖୋଜିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ବନ୍ୟା ଯୋଗୁଁ ଜଳବିଦ୍ୟୁତ୍ ଉତ୍ପାଦନରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ନେପାଳ ଭାରତଠାରୁ ଅତିରିକ୍ତ ବିଦ୍ୟୁତ୍ ଆମଦାନୀ ପାଇଁ ଅନୁମତି ବଢ଼ାଇବାକୁ ଅନୁରୋଧ କରିଛି।
ଧ୍ବଂସାବେଶେଷ ତଳେ ଥିବା ଲୋକମାନଙ୍କୁ ବାହାର କରିବା ଲାଗି ଚାଲିଛି ମେଗା ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ସୁଦ୍ଧା ୯୫୫ ଲୋକଙ୍କ ମୃତଦେହ ମିଳିଥିବା ବେଳେ ୪ ହଜାର ଏବେ ବି ନିଖୋଜ ଥିବା ସୂଚନା ରହିଛି । ହେଲିକପ୍ଟର ଜରିଆରେ ବିପନ୍ନ ଲୋକଙ୍କୁ ଉଦ୍ଧାର କରାଯାଉଛି । ଆକସ୍ମିକ ବନ୍ୟାରେ ଭାସି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ବି ସଂଘର୍ଷ ଆରମ୍ଭ ହୋଇଛି । ଉଦ୍ଧାର ହୋଇଥିବା ଅନେକ ମୃତକଙ୍କୁ ଚିହ୍ନଟ କରି ହେଉନାହିଁ ।
ବର୍ତ୍ତମାନ ସୁଦ୍ଧା ୧୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ଲୋକମାନଙ୍କୁ ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଛି ଏବଂ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ନେପାଳ ପ୍ରଧାନମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।….

