ନନ୍ଦିଘୋଷ ବ୍ୟୁରୋ : ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ଅଣ୍ଡରୱାଟର ଯାନକୁ ଜବତ କରିଥିବା ଦାବି କରିଛି ଇରାନ। ଇରାନ ନୌସେନାର କହିବା ଅନୁସାରେ, ଗୁପ୍ତଚର ଅଭିଯାନ ଜରିଆରେ ଆମେରିକାର ‘ଡାଇଭ୍-ଏଲଡି’ ନାମକ ଅଣ୍ଡରୱାଟର ଡ୍ରୋନ୍କୁ ଜବତ କରାଯାଇଛି। ଏହା ବିଶ୍ୱର ଅତ୍ୟାଧୁନିକ ସବ୍-ସର୍ଫେସ୍ ଭେହିକଲ୍ ପ୍ରଯୁକ୍ତିରେ ନିର୍ମିତ ବୋଲି ଇରାନ ଦାବି କରିବା ସହ ଏହାର ଭିଡିଓ ମଧ୍ୟ ଜାରି କରିଛି। ଏହା ସହିତ, ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର MQ-9 ରିପର୍ ଡ୍ରୋନ୍କୁ ମଧ୍ୟ ନିଜ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଖସାଇଥିବା ଦାବି କରିଛି ଇରାନୀ ବିପ୍ଳବୀ ଗାର୍ଡ (IRGC)। ତେବେ ଇରାନର ଦାବିକୁ ନେଇ ଆମେରିକା ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଆମେରିକାର କହିବା ଅନୁସାରେ, ଅଣ୍ଡରୱାଟର ଡ୍ରୋନ୍ଟି ସମୁଦ୍ର ଜଳର ସର୍ଭେ କରୁଥିବା ସମୟରେ ଖରାପ ହୋଇଯାଇଥିଲା। ଇରାନ ଜବତ କରିଥିବା ଡ୍ରୋନ୍ଟି ସେହି ଯାନ କି ନୁହେଁ, ସେନେଇ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ଆମେରିକା ଏହା ମଧ୍ୟ କହିଛି ଯେ, ଜବତ ହୋଇଥିବା ଯାନଟି ଏକ ପୁରୁଣା ମଡେଲ୍ ଏବଂ ଏଥିରେ କୌଣସି ସମ୍ବେଦନଶୀଳ ତଥ୍ୟ, ଗୁପ୍ତ ସୋନାର କିମ୍ବା ରାଡାର ଉପକରଣ ନାହିଁ। ବର୍ତ୍ତମାନ ଆମେରିକା ମାନବବିହୀନ ନୌସେନା ବ୍ୟବସ୍ଥାରେ ବ୍ୟାପକ ନିବେଶ କରୁଛି। ସମୁଦ୍ରର ବିଶାଳ ଅଞ୍ଚଳ ଉପରେ ନଜର ରଖିବା, ଗୁପ୍ତଚର ତଥ୍ୟ ସଂଗ୍ରହ କରିବା ସହ ଶତ୍ରୁ ଜାହାଜ ଓ ବୁଡ଼ାଜାହାଜକୁ ଟ୍ରାକ୍ କରିବାରେ ଏଭଳି ମାନବବିହୀନ ଯାନ ବ୍ୟବହାର କରାଯାଉଛି।
ଇରାନର ଦାବି ଅନୁସାରେ, ‘ଡାଇଭ୍-ଏଲଡି’ ଥରକେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି କାମ କରିପାରେ। ଏହା ପ୍ରାୟ ୬ ହଜାର ମିଟର ବା ୧୯ ହଜାର ୭୦୦ ଫୁଟ୍ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ। ପ୍ରତ୍ୟେକ ଡାଇଭ୍-ଏଲଡିର ମୂଲ୍ୟ ପ୍ରାୟ ୨.୫ ନିୟୁତ ଡଲାର ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି।

