ନନ୍ଦିଘୋଷ ବ୍ୟୁରୋ : ଆଜି ବିଜେଡି, କାଲି କଂଗ୍ରେସ। ଆସନ୍ତାକାଲି MMDR ବିରୋଧରେ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରୁ ଯାଇଥିବା ୨୦ ସାଂସଦ ସଂସଦରେ ପାଟି ଖୋଲିଲେ ନାହିଁ। ଏହାକୁ ନେଇ ଆସନ୍ତାକାଲି ଜୋରଦାର ପ୍ରତିବାଦ କରିବ କଂଗ୍ରେସ। ରାଜ୍ୟର ହକ୍ ପାଇଁ ଲଢେଇ ହେବ। କଂଗ୍ରେସ ଏହି ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଥିଲା। ହେଲେ ସରକାର ଶୁଣୁନଥିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି।ସେପଟେ ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଏହି ଆଇନ ଅନୁସାରେ ରାଜ୍ୟ ସରକାରଙ୍କର କୌଣସି ଅଧିକାର ରହିବ ନାହିଁ। ରାଜ୍ୟ ସରକାରଙ୍କ ପ୍ରାପ୍ୟ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ସେ ଆଇନ ମନ୍ତ୍ରୀ ଥିବା ବେଳେ ଭୂମି ତଳେ ଥିବା ଖଣିଜ ସମ୍ପଦରେ ରାଜ୍ୟର ଅଧିକାର ରହିବା ନେଇ ଏକ ଆଇନ ଆଣିଥିଲେ। ଯାହାଦ୍ୱାରା ଖଣିଜ ସମ୍ପଦ ଭରା ଜମି ଉପରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ କ୍ଷମତା ରହିବ। ଯେଉଁ ଜମି ତଳେ ଖଣି ଅଛି, ତାହା ଉପରେ ଟିକସ ନେବେ ରାଜ୍ୟ ସରକାର। ଏହାକୁ ନେଇ ଖଣି କମ୍ପାନୀମାନେ ସୁପ୍ରିମକୋର୍ଟ ଗଲେ ଏବଂ ରାଜ୍ୟ ସରକାର କେସ୍ରେ ହାରିଗଲେ। ପରେ ୨୦୦୪ ଜାନୁଆରୀ ୧ ତାରିଖରେ ସୁପ୍ରିମକୋର୍ଟ କହିଲେ, ଯେଉଁ ରାଜ୍ୟର ମାଟି ତଳେ ଖଣିଜ ସମ୍ପଦ ରହିଛି, ସେ ରାଜ୍ୟର ଟିକସ ନେବା ଅଧିକାର ଅଛି।
ସେହି ଅନୁସାରେ ରାଜ୍ୟ ଅଧିକାର ପାଇବା କଥା, କିନ୍ତୁ ସେହି ଅଧିକାର ଆମକୁ ମିଳିଲା ନାହିଁ। କେନ୍ଦ୍ର ସରକାର ଟିକସ ଦେବା କଥା କିମ୍ବା ରାଜ୍ୟ ସରକାର ମାଗିବା କଥା। କିନ୍ତୁ ତାହା ମିଳିଲା ନାହିଁ। ଯାହାଦ୍ୱାରା ରାଜ୍ୟର ବିପୁଳ କ୍ଷତି ହୋଇଛି। ସୁପ୍ରିମକୋର୍ଟ ବେଞ୍ଚ ଯେଉଁ ରାୟ ଦେଇଛନ୍ତି, ଏହା ନିଶ୍ଚୟ କାଟ ଖାଇବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି।

