spot_img

Latest Posts

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ନିର୍ମାଣ ହେବ ନୂଆ ପତିତପାବନ ଭକ୍ତ ନିବାସ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ନୂଆ ପତିତପାବନ ଭକ୍ତ ନିବାସ । ତୀର୍ଥଯାତ୍ରୀଙ୍କ ସହ ସେବକଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା । ଓବିସିସି ଦ୍ବାରା ଡିପିଆର୍ ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଛି ଆଲୋଚନା । ତୀର୍ଥଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀଳାଦ୍ରି, ନୀଳାଚଳ, ଶ୍ରୀଗୁଣ୍ଡିଚା ଓ ପୁରୁଷୋତ୍ତମ ଭକ୍ତ ନିବାସ ପରେ ଏବେ ପୁରୀରେ ନୂତନ ଭକ୍ତ ନିବାସ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।  ଏନେଇ ୨୬ ସେପ୍ଟେମ୍ବର ଶନିବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସବିଶେଷ ଆଲୋଚନା କରାଯିବା ସହ ପ୍ରସ୍ତାବ ଦିଆଯାଇଛି ।

ଇତିମଧ୍ୟରେ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସର ପଶ୍ଚାତ୍ ଭାଗ ଜମିର ଉନ୍ନତିକରଣ କରାଯାଇଛି । ଏହି ଜମିରେ ପୂର୍ବରୁ ପ୍ରସ୍ତାବିତ ନୂତନ ଭକ୍ତ ନିବାସ ନିର୍ମାଣ ପାଇଁ ଅଭଡ଼ା ଯୋଜନାରୁ ପାଣ୍ଠି ଯୋଗାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚଠି ଲେଖାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ତଳ ମହଲାରେ ସେବକମାନଙ୍କ ବ୍ୟବହାର ଉଦ୍ଦେଶ୍ୟରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଓ ଏକ ଉତ୍କୃଷ୍ଟ ମାନର ଡିସପେନସେରୀ କରିବା ପାଇଁ ପ୍ରସ୍ତାବ ରହିଛି । ଗତବର୍ଷ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୀଳାଦ୍ରି ଭକ୍ତ ନିବାସ ପଛ ଭାଗରେ ଶ୍ରୀମାର୍ଗ ନିକଟରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଜମିରେ ଏହି ଭକ୍ତନିବାସ ନିର୍ମାଣ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଓବିସିସି ଏହି ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରିବ । ନୂତନ ଭାବେ ନିର୍ମାଣ ହେବାକୁ ଥିବା ଭକ୍ତନିବାସର ନାମ ‘ପତିତପାବନ ଭକ୍ତ ନିବାସ’ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି ।

Latest Posts

Don't Miss