SIR ବିବାଦ: ବିରୋଧୀଙ୍କ ପ୍ରଶ୍ନ କାହା ଚାପରେ ନିର୍ବାଚନ କମିଶନ ଚେପା
ନନ୍ଦିଘୋଷ ବ୍ୟୁରୋ: ଏସଆଇଆର ପ୍ରକ୍ରିୟାକୁ ନେଇ ଯାହା ସଂନ୍ଦେହ କରାଯାଉଥିଲା, ତାହା ପ୍ରମାଣିତ ହେଲା । ଭୋଟ ଚୋରି କରାଯାଇଛି ସାରା ଦେଶରେ । ଗଣତନ୍ତ୍ର ଦେଶରେ ଚଞ୍ଚକତା କରି ଭୋଟ ତାଲିକାରୁ କୋଟି କୋଟି ଯୋଗ୍ୟ ଭୋଟରଙ୍କ ନାଁ କଟାଯାଇଥିବା ବେଳେ ସିଇସିଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଏହାରି ଭିତରେ ନିର୍ବାଚନ କମିଶନ ପୁଣି ଯୋଗ୍ୟ ଭୋଟରକୁ ଭୋଟର ତାଲିକାରେ ସାମିଲ କରିବା ନେଇ ଆରମ୍ଭ କରିଥିବା ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ। ବିଜେଡି ଓ କଂଗ୍ରେସ ଏନେଇ ସରକାରଙ୍କୁ ଘେରିଥିବା ବେଳେ ପଚାରିଛନ୍ତି କାହା ଚାପରେ ଚେପା ନିର୍ବାଚନ କମିଶନ ।
ଭୋଟ ପୂର୍ବରୁ କାଟିଲେ, ବିରୋଧ ପରେ ଯୋଡିବାକୁ ନିଷ୍ପତ୍ତି ନେଲେ । ଏସଆଇଆର ପ୍ରକ୍ରିୟାକୁ ନେଇ ବଡ଼ ବିବାଦ ସୃଷ୍ଟି ହେବା ପରେ ୟୁଟର୍ଣ୍ଣ ମାରିଛନ୍ତି ନିର୍ବାଚନ କମିଶନ । ଭୋଟର ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରକୁ ପୁଣି ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ନିର୍ବାଚନ କମିଶନ । ବିଏଲଓମାନେ ଘର ଘର ବୁଲି ଫର୍ମ ୬ ଜରିଆରେ ପଞ୍ଜିକରଣ କରିବେ । ନିର୍ବାଚନ କମିଶନ କାହା ଚାପରେ ଚେପା ହୋଇ ଏପରି ନିଷ୍ପତ୍ତି ନେଲେ ତାକୁ ନେଇ ଘେରିଛନ୍ତି ବିରୋଧୀ । ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି, ଏସଆଇଆର୍ ନାଁରେ ଗଣତନ୍ତ୍ରକୁ ଧ୍ୱଂସ କରି ଦିଆଗଲା । ୧୩ କୋଟିରୁ ଅଧିକ ଭୋଟରଙ୍କୁ କାଟିଲେ । ଚାରିଆଡୁ ପ୍ରବଳ ବିରୋଧ ପରେ ଚାପରେ ଚେପା ହୋଇଛନ୍ତି ନିର୍ବାଚନ କମିଶନ । ଯଦି ସେ ଭୁଲ କରି ନଥିଲେ ଏପରି ନିଷ୍ପତ୍ତି ନେଲେ କାହିଁକି ? ନିର୍ବାଚନ କମିଶନ ଏବେ ପୂରା ଚାପରେ ଅଛନ୍ତି । ଏଥିରେ ଆଂଶିକ ଭାବରେ ଭାରତର ଜନସାଧାରଣ, ବିରୋଧୀ ଦଳ ଓ ଜେନ ଜିଙ୍କ ବିଜୟ ହୋଇଛି । ଅନ୍ୟପଟେ ନିର୍ବାଚନ କମିଶନ ଉପରେ ପ୍ରଶ୍ନ ଆସିଲେ ବିଜେପି ନେତା ନିର୍ବାଚନ କମିଶନଙ୍କୁ ସୁରକ୍ଷା ଦେବାକୁ ବାହାରି ଆସୁଛନ୍ତି । ଏହାକୁ ନେଇ ମିଲିଅନ ଡଲାର ପ୍ରଶ୍ନ ଉଠୁଛି ବୋଲି ବିଜେଡି କହିଛି ।
ଏସଆଇଆର ସମ୍ପର୍କରେ ପ୍ରଥମରୁ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଗଣତନ୍ତ୍ରିକ ଦେଶରେ କୋଟି କୋଟି ଭୋଟରଙ୍କୁ କଟାଗଲା । ଏହାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ମୂଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ପ୍ରତିବାଦ ହେଲା । ଆଉ ଏବେ ମୁଖ୍ୟ ନିର୍ବାଚନ କମିଶନର୍ ୟୁଟର୍ଣ୍ଣ ନେଇଛନ୍ତି । ଏବେ ପ୍ରକ୍ରିୟାକୁ ସରଳ କରିବାକୁ ଚେଷ୍ଟା କରାଯାଇଛି । ଘରକୁ ଘର ଯାଇ କଟିଥିବା ଲୋକଙ୍କୁ ପୁଣି ଯୋଡିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । ବିଜେଡି ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯେଉଁ କଥା ବାରମ୍ବାର ଉଠାଇଛନ୍ତି ତାହା ସତ ପ୍ରମାଣିତ ହୋଇଛି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଂଗ୍ରେସ କହିଛି, ବିଜେପି ଭୋଟ ଚୋରି କରି କ୍ଷମତା ହାସଲ କରିଛି । ନିର୍ବାଚନ କମିଶନକୁ ହାତବାରିସି କରି ନିର୍ବାଚନ ଜିତିଛି । ବିଜେପି କଥାରେ ଯୋଗ୍ୟ ଭୋଟରଙ୍କ ନାଁ ଭୋଟର ଲିଷ୍ଟରୁ କଟାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଏସଆଇଆର ଗଡ଼ବଡକୁ ନେଇ ସିଇସି ଜ୍ଞାନେଶ କୁମାର ଇସ୍ତଫା ଦାବି ସାରା ଦେଶରେ ଜୋର ଧରିଥିବା ବେଳେ ଭୋଟର ତାଲିକାରୁ ନାଁ କଟିଥିବା ଯୋଗ୍ୟ ଭୋଟକୁ ପୁଣି ଲିଷ୍ଟରେ ସାମିଲ କରିବା ନୂଆ ବିବାଦ ସୃଷ୍ଟି କରିଛି ।

