ମାଲକାନଗିରି: ବଦଳିଲା ନକ୍ସା, ବଦଳିଗଲା ରାସ୍ତାର ଗତିପଥ। ଆଉ ଏହା ସହିତ ଚୁରମାର ହୋଇଗଲା ଘାଟି ବାସିନ୍ଦାଙ୍କ ବହୁଦିନର ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମାଲକାନଗିରି ଜିଲ୍ଲା କର୍ତ୍ତନପାଲି ପଞ୍ଚାୟତର ମାଳିଗୁଡ଼ା ଓ ଗୁଗାପୋଦର ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାରୀ ସ୍ତରରେ ଅନୁମୋଦନ ମିଳିଥିଲା। ହେଲେ ମଞ୍ଜୁର ହୋଇଥିବା ନକ୍ସାକୁ ହଠାତ୍ ବଦଳାଇ ଦିଆଯାଇ ସାଲିମି ପଞ୍ଚାୟତ ପଟୁ କାମ ଆରମ୍ଭ କରାଯାଇଛି। ଯେଉଁ ରାସ୍ତା ଗୁଗାପୋଦର ଗ୍ରାମକୁ ସଂଯୋଗ କରିବା କଥା, ତାହା ଅନ୍ୟ ଦିଗରେ ନିର୍ମାଣ ହେଉଛି। ଏପରିକି କାମ ଶେଷ ନହେଉଣୁ ଠିକା ସଂସ୍ଥା ୨ କୋଟିରୁ ଅଧିକ ଟଙ୍କା ଅଗ୍ରୀମ ଉଠାଇ ନେଇଥିବା କୁହାଯାଉଛି।
ତେବେ ଗାଁକୁ ଉପଯୁକ୍ତ ରାସ୍ତାଘାଟ ନଥିବାରୁ ଗ୍ରାମବାସୀ ଗମନାଗମନ କ୍ଷେତ୍ରରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସଡ଼କ ସଂଯୋଗ ନଥିବାରୁ ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁନଥିବା ଅଭିଯୋଗ ହୋଇଛି, ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ ଅସମ୍ଭବ ହୋଇପଡ଼ୁଛି।
ଏବେ ବଡ଼ ଏଠାରେ ପ୍ରଶ୍ନ ଉଠୁଛି, ରାସ୍ତାର ନକ୍ସା ବଦଳାଇଲା କିଏ? ନକ୍ସା ପରିବର୍ତ୍ତନ ଯୋଗୁଁ ଯଦି ଗୁଗାପୋଦର ଗାଁକୁ ପକ୍କା ରାସ୍ତା ନପହଞ୍ଚେ, ତେବେ ଏଥିପାଇଁ ଦାୟୀ ହେବ କିଏ? ବିଭାଗ ନିଜର ଭୁଲ୍ ସ୍ୱୀକାର କରିବ ତ? ଏପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ଆର୍ଥିକ ଫାଇଦା ପାଇଁ ଠିକାଦାର ସହ ସୁଲାସୁତରା କରି ରାସ୍ତାର ଦିଗ ପରିବର୍ତ୍ତନ କରିଥିବା ସ୍ଥାନୀୟ ଆଦିବାସୀ ନେତାମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯଥାଶୀଘ୍ର ଏହାର ତଦନ୍ତ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

