spot_img

Latest Posts

ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା, କାମ ଦେଉନି କୀଟନାଶକ

କଣ୍ଟାମାଳ: ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା । କାମ ଦେଉନି କୀଟନାଶକ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଂଚଳରେ ଏକର ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ।  ଧାନପତ୍ର ପୋକ ଖାଇଯିବା ସହ କେତେକ ସ୍ଥାନରେ ଗଛ ଗୁଡିକ ଶୁଖି ଗଲାଣି l ଚଳିତ ବର୍ଷ ଭଲ ବର୍ଷା ହୋଇଥିଲା।। ଫଳରେ ଭଲ ଅମଳ ହେବା ନେଇ ବେଶ ଖୁସି ଥିଲେ ଚାଷୀ । ହେଲେ ଧାନ ଅମଳ ସମୟରେ ଗଛରେ କାଣ୍ଡବିନ୍ଧା, ଚକଡ଼ା ଓ ଗଣ୍ଠିପୋକ ଲାଗି ପାଳ ହୋଇଗଲାଣି। ଏବେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ।  ଯେତେ ଔଷଧ ସିଞ୍ଚନ କଲେ ମଧ୍ୟ କାମରେ ଆସୁନି l ପ୍ରାୟ ୩ଥର ଔଷଧ ପକାଇସାରିଲେଣି। ହେଲେ କୌଣସି ସୁଫଳ ମିଳୁନି।

ଏବେ ଧାନ କେଣ୍ଡା ବାହାରିବା ସମୟ । ହେଲେ ଧାନ କ୍ଷେତ୍ରରେ ପ୍ରବଳ ମାତ୍ରାରେ ଗନ୍ଧିପୋକ, କାଣ୍ଡବିନ୍ଧା, ଲିପଫୋଲଡର, ଚକଡା ପରି ପୋକ ଲାଗୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏପରିକି ଚାଷୀ ଦୋକାନରୁ ଔଷଧ ନେଇ ପ୍ରୟୋଗ କରୁଥିଲେ ମଧ୍ୟ ତାହା କାମ ଦେଉନି। କରଜ କରି ଚାଷ କରିଥିବା ଚାଷୀ କିଭଳି ଋଣ ଶୁଝିବେ ଓ ପରିବାର ଚଳାଇବେ ଚିନ୍ତା ଘାରିଛି । ଅନ୍ୟପଟେ ଆମେ ବିଭିନ୍ନ ଉପାୟରେ ସଚେତନ କରୁଛୁ ଓ ଚାଷୀଙ୍କୁ ଔଷଧ ମଧ୍ୟ ସୁଲଭ ଦରରେ ଯୋଗାଇ ଦିଆଯାଉଛି ବୋଲି ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହିଛନ୍ତି। ସମସ୍ୟା ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ।

Latest Posts

Don't Miss