spot_img

Latest Posts

ଗୁପ୍ତଗୁଣ୍ଡିଚା ଦର୍ଶନରେ ମିଳେ କୋଟି ଜନ୍ମର ପୂଣ୍ୟ

ପୁରୀ: ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାରେ ଆଜିଠାରୁ ଆଠ ଦିନ ବ୍ୟାପୀ ଆରମ୍ଭ ହୋଇଛି ଗୁପ୍ତଗୁଣ୍ଡିଚା ଯାତ୍ରା। ଶ୍ରୀଜଗନ୍ନାଥ ଏହି ଯାତ୍ରାରେ ମା ମହାଲକ୍ଷ୍ମୀ ସ୍ଵରୁପା ମା ଦୁର୍ଗାଙ୍କୁ ସାଙ୍ଗରେ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିବେ। ଆଉ ସେଠାରେ ପୂଜାବିଧି ଶେଷ ହେବା ପରେ ପୁଣିଥରେ ଦୁର୍ଗାମଧବ ମନ୍ଦିରକୁ ଫେରି ଆସିବେ । ଏହି ପରମ୍ପରା ୯ ଦିନ ଧରି ଜାରି ରହିବ । ଏହାଦ୍ବାରା ଗତ ନୀଳାଦ୍ରି ବିଜେ ଦିନ ଅଭିମାନିନୀ ମା ଲକ୍ଷ୍ମୀଙ୍କୁ  ମହାପ୍ରଭୁ ଦେଇଥିବା ପ୍ରତିଶୃତି ପାଳନ କରି ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବେ। ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ, ଶ୍ରୀମନ୍ଦିର ପରିସରରେ ଥିବା ମା ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ, ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ଏହି ନିଆରା ପାରମ୍ପରିକ ଯାତ୍ରା ଅତ୍ୟନ୍ତ ନିଆରା ।

ଆଜି ଶ୍ରୀମନ୍ଦିରରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇ ଘଣ୍ଟ ଛତା ବିଜେ କାହାଳି ବଜାଯାଇ ନାରାୟଣୀ ମନ୍ଦିରକୁ ବିଜେ କରାଯିବ। ସେଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ମାଣ୍ଡୁଅ ଓ ଖଇକୋରା ଭୋଗ ଲାଗି କରାଯିବାର ବିଧି ରହିଛି।  ଏହି ପରମ୍ପରା ବହୁ ପୁରୁଣା । ବିଶ୍ବାସ ରହିଛି ଯଦି କୌଣସି ଭକ୍ତ ଏହି ଗୁପ୍ତ ଗୁଣ୍ଡିଚାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ଦୁର୍ଗାମାଧବଙ୍କୁ ଦର୍ଶନ କରନ୍ତି ତେବେ ତାଙ୍କୁ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ ।

ଏଠାରେ ଉଲ୍ଲେଖନୀୟ ଯେ ଆଷାଢ ମାସର ଶୁକ୍ଲ ପକ୍ଷର ଦ୍ବିତୀୟ ଦିନରେ ମହାପ୍ରଭୁ ଜଗନ୍ନାଥ ବଡ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ସହ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ନଅ ଦିନିଆ ଯାତ୍ରା କରିଥାନ୍ତି । ଯାହାକୁ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଏ । ଆଉ ନବରାତ୍ର ସମୟରେ ଦୁର୍ଗାମାଧବଙ୍କ ୯ ଦିନିଆ ଯାତ୍ରାକୁ ଗୁପ୍ତଗୁଣ୍ଡିଚା ଯାତ୍ରା କୁହାଯାଇଥାଏ ।

Latest Posts

Don't Miss