ନନ୍ଦିଘୋଷ ବ୍ୟୁରୋ: ପୂର୍ବ ଆଫ୍ରିକାର ଜିବୁଟି ଉପକୂଳ ନିକଟରେ ଏକ ଭୟଙ୍କର ସମୁଦ୍ର ଦୁର୍ଘଟଣା ଘଟିଛି। ୟେମେନ ଅଭିମୁଖେ ଯାଉଥିବା ଏକ ଡଙ୍ଗା ସମୁଦ୍ର ମଝିରେ ଓଲଟି ପଡ଼ିବାରୁ ଅତିକମରେ ୧୩୯ ଜଣ ପ୍ରବାସୀଙ୍କ ଜୀବନ ଚାଲିଯାଇଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଶିଶୁ ଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ପ୍ରବାସ ସଂଗଠନ ( IOM) ରବିବାର ଏହି ଦୁଃଖଦ ସୂଚନା ଦେଇଛି।
IOM ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୮ କିମ୍ବା ୯ ତାରିଖ ସକାଳେ ଏହି ଅଘଟଣ ଘଟିଥିଲା। ଡଙ୍ଗାଟିରେ ମୋଟ ୩୦୫ ଜଣ ପ୍ରବାସୀ ସବାର ଥିଲେ। ଜିବୁଟିରୁ ୟେମେନ ଯାଉଥିବା ସମୟରେ ଗଭୀର ସମୁଦ୍ରରେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ତେବେ ଦୁର୍ଘଟଣା ପରେ ତୁରନ୍ତ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟରେ ୮୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ତେବେ ଏବେ ବି ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
IOM କହିଛି ଯେ, ‘ହର୍ଣ୍ଣ ଅଫ୍ ଆଫ୍ରିକା’ (Horn of Africa) ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ପ୍ରବାସୀ ସୁରକ୍ଷା ଓ ଉନ୍ନତ ଆର୍ଥିକ ସୁଯୋଗ ଆଶାରେ ନିଜ ଦେଶ ଛାଡ଼ିଥାନ୍ତି। ସେମାନେ ଜିବୁଟି ଦେଇ ଖାଡ଼ି ଦେଶଗୁଡ଼ିକ ଅଭିମୁଖେ ଯାତ୍ରା କରନ୍ତି। ଏହି ଯାତ୍ରା ପାଇଁ ସେମାନଙ୍କୁ ବାବ୍-ଅଲ୍-ମନ୍ଦେବ୍ ନାମକ ବିପଜ୍ଜନକ ଜଳପଥ ଅତିକ୍ରମ କରିବାକୁ ପଡ଼ିଥାଏ। ୟେମେନରେ କ୍ରମାଗତ ହିଂସା ଏବଂ ଅସ୍ଥିରତା ଜାରି ରହିଥିଲେ ମଧ୍ୟ ଗରିବୀ ଓ ଅସୁରକ୍ଷିତତା କାରଣରୁ ପ୍ରବାସୀମାନେ ଜୀବନ ବିପନ୍ନ କରି ଏପରି ବିପଜ୍ଜନକ ସମୁଦ୍ର ଯାତ୍ରା କରୁଛନ୍ତି।

