ନନ୍ଦିଘୋଷ ବ୍ୟୁରୋ: ସକାଳୁ ସକାଳୁ ଘନ କୁହୁଡ଼ିରେ ଢାଙ୍କି ହୋଇଛି ଟ୍ୱିନ୍ ସିଟି। ଭୁବନେଶ୍ୱର ଓ କଟକରେ କୁହୁଡ଼ିର ମୋଟା ଆସ୍ତରଣ ଯୋଗୁଁ ଜନଜୀବନ ସହ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଚାରିଆଡ଼େ କେବଳ ଧଳା କୁହୁଡ଼ିର ଚାଦର ଦେଖିବାକୁ ମିଳିଛି ।
ବିଶେଷ କରି ସକାଳ ୫ଟାରୁ ୭ଟା ମଧ୍ୟରେ କୁହୁଡ଼ିର ପ୍ରକୋପ ଅଧିକ ରହିଥିଲା। ଫଳରେ ଦୃଶ୍ୟମାନତା ଯଥେଷ୍ଟ କମିଯାଇଥିଲା। ରାସ୍ତାରେ କିଛି ଦୂରରେ ଥିବା ଗାଡ଼ି ଓ ଅନ୍ୟାନ୍ୟ ବସ୍ତୁ ମଧ୍ୟ ସ୍ପଷ୍ଟ ଦେଖାଯାଉ ନଥିଲା।
ଜାତୀୟ ରାଜପଥ-୧୬, କଟକ ରିଂ ରୋଡ୍, ନନ୍ଦନକାନନ ରୋଡ୍ ଓ ଉତ୍ତରା ଛକ ସମେତ ବିଭିନ୍ନ ଉପକଣ୍ଠ ଅଞ୍ଚଳରେ ଗାଡ଼ି ଚଳାଚଳ ମନ୍ଥର ହୋଇଥିଲା। ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗାଡ଼ିଚାଳକମାନେ ଫଗ୍ ଲାଇଟ୍ ଓ ହାଜାର୍ଡ ଲାଇଟ୍ ବ୍ୟବହାର କରି ଧୀରେ ଧୀରେ ଗାଡ଼ି ଚଳାଉଥିଲେ।
ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଏବଂ ରାତିର ତାପମାତ୍ରା ହ୍ରାସ ଯୋଗୁଁ ଏଭଳି ଘନ କୁହୁଡ଼ି ସୃଷ୍ଟି ହୋଇଥିବା କୁହାଯାଉଛି।

