ଚିଲିକା: ରାସ୍ତା ନାହିଁ ତ ଭୋଟ ନାହିଁ । ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ ।…ଖୋର୍ଦ୍ଧା ଚିଲିକା ତହସିଲ ହରିପୁର ପଞ୍ଚାୟତ କୁକୁଡ଼ାଝର ଗାଁକୁ ନା ଅଛି ଭଲ ରାସ୍ତା ନା ପାନୀୟ ଜଳ ବ୍ୟବସ୍ଥା । କାଦୁଅ ପଚପଚ ମାଟି ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି ୬୬ ଫୁଟ ସରକାରୀ ଜାଗାକୁ ଜବରଦଖଲ କରିବା ଯୋଗୁଁ ରାସ୍ତା ହୋଇପାରୁନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ବି ଫଳ ଶୂନ ।…
୧୯୭୯ ମସିହାରେ ବଉଳାବନ୍ଧ ମୌଜାର ୧୮ ନଂ ପ୍ଲଟରେ ହରିପୁର, ବଉଳାବନ୍ଧ ଓ ନଈରୀ ପଞ୍ଚାୟତର ୧୪୧ ଜଣ ଭୂମିହୀନ ପରିବାରକୁ ୧୦୦ ଡେସିମଲ ଲେଖାଏଁ ସରକାରୀ ଜାଗା ଯୋଗାଇ ଦିଆଯାଇଥିଲା । ସେଠାରେ ୪୦ ପରିବାର ଘର କରି ବସବାସ କରୁଛନ୍ତି । ଅନ୍ୟମାନେ ଅର୍ଥ ଅଭାବରୁ ଘର କରିପାରିନାହାନ୍ତି | ଯାହାର ସୁଯୋଗ ନେଇ ସେଠାରେ ପୋଖରୀ ଖୋଳି ସାରିଲେଣି ଖଣି ମାଫିଆ । ଖାଲି ସେତିକି ନୁହେଁ କୁକୁଡ଼ାଝରରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ହୋଇଥିଲେ ବି ତାହା ବନ୍ଦ ହୋଇ ପଡ଼ିଛି । ଯାହାକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।…
ଗ୍ରାମବାସୀ ମ୍ୟାପ ଧରି ରାସ୍ତା ଚିହ୍ନଟ ଓ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟଙ୍କୁ ଧାଇଁଲେଣି । ହେଲେ କେହି ଗୁହାରି ଶୁଣୁନାହାନ୍ତି । କେବେ ସରକାରଙ୍କ ନିଦ ଭାଙ୍ଗିବ ? କେବେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ ? ତାହା ସମୟ କହିବ ।

