spot_img

Latest Posts

ଇସଲାମାବାଦର ପ୍ରଥମ ହିନ୍ଦୁ ମନ୍ଦିର ତିଆରି ହେବା ଆଗରୁ ଜାରି ହେଲା ଫତୱା

 

ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ପ୍ରଥମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ବିରୋଧ ଦେଖାଦେଲାଣି । ମନ୍ଦିର ନିର୍ମାଣ କାର୍ଯ୍ୟ ବିରୋଧରେ ଏକ ମୁସଲିମ ସଂଗଠନ ପକ୍ଷରୁ ଫତୱା ଜାରି ହୋଇଛି । ଗତ ସପ୍ତାହରେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଥିଲେ କିନ୍ତୁ ବର୍ତ୍ତମାନ ନିର୍ମାଣକୁ ନେଇ ବିରୋଧ ଆରମ୍ଭ ହୋଇଗଲାଣି।

ପାକିସ୍ତାନର ‘ନୟା ଦୌର ଟିଭି’ ସୂଚନା ଅନୁଯାୟୀ, ଧାର୍ମିକ ସଂଗଠନ ଜାମିଆ ଅସରଫିଆ ମନ୍ଦିର ନିର୍ମାଣ କାର୍ଯ୍ୟ ବିରୋଧରେ ଏକ ଫତୱା ଜାରି କରିଛି । ମଙ୍ଗଳବାର ଦିନ ସଂଗଠନ କହିଛି ଯେ ଏଠାରେ ମନ୍ଦିର ନିର୍ମାଣ ଇସଲାମ ବିରୋଧୀ । ଜାମିଆର ଲାହୋର ମୁଖ୍ୟ ମୁଫ୍ତି ଜିଆଉଦ୍ଦିନ କହିଛନ୍ତି, ଅଣ-ମୁସଲମାନମାନଙ୍କ ପାଇଁ ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ସ୍ଥାନ ନିର୍ମାଣ ହୋଇ ପାରିବନାହିଁ । ଏଥିପାଇଁ ସରକାର କୌଣସି ଅର୍ଥ ଖର୍ଚ୍ଚ କରିବେ ନାହିଁ । ଲୋକଙ୍କ ଟିକସ ପଇସାରେ ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ନିଷ୍ପତ୍ତି ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

କେବଳ ଏତିକି ନୁହେଁ ଏହି ମନ୍ଦିର ନିର୍ମାଣ ବିରୋଧରେ ଇସଲାମାବାଦ ହାଇକୋର୍ଟରେ ସେ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ କିନ୍ତୁ ଇସଲାମାବାଦ ହାଇକୋର୍ଟ ମନ୍ଦିର ନିର୍ମାଣ ଉପରେ ସ୍ଥଗିତାଦେଶକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କ ମଧ୍ୟ ଧାର୍ମିକ ସ୍ୱାଧୀନତା ପାଇଁ ସମାନ ଅଧିକାର ରହିଛି।

ଅନ୍ୟପକ୍ଷରେ,  କୃଷ୍ଣ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ହିନ୍ଦୁ ପଞ୍ଚାୟତ ଇସଲାମାବାଦର ଲାଲ ଚନ୍ଦ୍ର ମାଲ୍ହି କହିଛନ୍ତି ଯେ ବିରୋଧ ସତ୍ତ୍ୱେ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିବ । ଲାଲ ଚନ୍ଦ୍ର ମାଲ୍ହି ପାକିସ୍ତାନର ମାନବିକ ଅଧିକାର ସଂସଦୀୟ ସଚିବ ମଧ୍ୟ ଅଛନ୍ତି। ୧୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ଶ୍ରୀକୃଷ୍ଣ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ରାଜଧାନୀର H-9 ଅଞ୍ଚଳରେ ୨୦ ହଜାର ବର୍ଗଫୁଟରେ ଏହି ମନ୍ଦିର ନିର୍ମାଣ ହେବ | ମଙ୍ଗଳବାର ଦିନ ଲାଲ ଚନ୍ଦ୍ର ମାଲହି ମନ୍ଦିରର ମୂଳଦୁଆ ପକାଇଥିଲେ ।

ଲାଲ ଚନ୍ଦ୍ର  ଟ୍ୱିଟ୍ କରି କହିଛନ୍ତି, “ଇସଲାମାବାଦରେ ଏହା ପ୍ରଥମ ହିନ୍ଦୁ ମନ୍ଦିର ଏବଂ ମନ୍ଦିର ନିର୍ମାଣ ପାଇଁ ସରକାର ତାଙ୍କୁ ଜମି ଦେଇଛନ୍ତି।”

ଇସଲାମାବାଦ ହିନ୍ଦୁ ପଞ୍ଚାୟତ ଏହି ମନ୍ଦିରର ନାମ ଶ୍ରୀକୃଷ୍ଣ ମନ୍ଦିର ରଖିଛି। ଏହି ମନ୍ଦିର ପାଇଁ ଜମି ୨୦୧୭ ମସିହାରେ ଦିଆଯାଇଥିଲା କିନ୍ତୁ କିଛି ସମସ୍ୟା କାରଣରୁ ଏହାର ନିର୍ମାଣ କାର୍ଯ୍ୟ ୩ବର୍ଷ ଧରି ଅଟକି ଯାଇଥିଲା  | ରିପୋର୍ଟ ଅନୁଯାୟୀ, ଏହି ମନ୍ଦିର ପରିସରରେ ଏକ ଅନ୍ତିମ ସଂସ୍କାର ସ୍ଥଳ ତିଆରି ହେବ |  ଇମ୍ରାନ ଖାନ ଧାର୍ମିକ ବ୍ୟାପାର ମନ୍ତ୍ରୀ ପିର ନୁର ଉଲ୍ ହକ କାଦ୍ରିଙ୍କ ସହ ସାକ୍ଷାତ ପରେ ଜୁନ୍ ୨୭ରେ ଏହି ମନ୍ଦିର ପ୍ରକଳ୍ପକୁ ଅନୁମୋଦନ କରିଥିଲେ ଏବଂ ଅର୍ଥ ପ୍ରଦାନ ଘୋଷଣା କରିଥିଲେ। ଏହି ସମୟରେ ସଂଖ୍ୟାଲଘୁ ନେତା ଲାଲ ଚାନ୍ଦ  ମଧ୍ୟ ଉପସ୍ଥିତ ଥିଲେ।

 

 

Latest Posts

Don't Miss