କାହିଁକି ମନେ ରହିବେ ‘ଦାଦା’,ଆଜି ସୌରଭଙ୍କ ଜନ୍ମଦିନ
ଭାରତୀୟ ଉପମହାଦେଶ ବାହାରେ ଦାଦା ହିଁ ଏକମାତ୍ର ବ୍ୟକ୍ତି ଯେ ଭାରତୀୟ କ୍ରିକେଟ୍ ଟିମକୁ ବିଜୟର ସ୍ୱପ୍ନ ଦେଖାଇଥିଲେ । ଆଉ ଜିତାଇଥିଲେ ବି । ଫିକ୍ସିଂର କଳା ଅଧ୍ୟାୟରେ ଛନ୍ଦି ହୋଇ ପଡିଥିବା ଭାରତୀୟ କ୍ରିକେଟ ଦଳକୁ ଏକ ନୂଆ ରୂପ ଦେଇ ଚମକାଇଥିଲେ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ଲଡ୍ସର ବିଜୟ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ପାଇଁ ପ୍ରତିଶୋଧର ସ୍ମାରକ ହୋଇ ରହିଛି ।
ଧୋନୀ, ଯୁବରାଜ ଓ ହରଭଜନଙ୍କ ଭଳି ମହାନ କ୍ରିଡାବିତଙ୍କୁ ଘସି ମାଜି ତିଆରି କରିଥିଲେ ସେ। ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ଏହି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଯେ ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ଓ ମହାନ ଏକଥା କହିବାକୁ ପଡିବନି । ଗତ ଦଶନ୍ଧିର କ୍ରିକେଟ ପ୍ରେମୀ ଗାଙ୍ଗୁଲିଙ୍କ କଡା ତେବର ଓ ଆକ୍ରମଣାତ୍ମକ ଖେଳର ଫ୍ୟାନ ଥିବେ ନିଶ୍ଚିତ । ସୌରଭଙ୍କ ଅଧିନାୟକତ୍ୱରେ ଭାରତ ୧୪୬ଟି ଏକଦିବସୀୟ ମ୍ୟାଚ ଖେଳିଥିବା ବେଳେ ୭୬ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିଭଳି ୪୯ଟି ଟେଷ୍ଟରେ ଅଧିନାୟକ ଦାୟିତ୍ୱ ତୁଲାଇ ସେ ୨୧ଟି ମ୍ୟାଚରେ ଭାରତକୁ ବିଜୟ ଦେଇଛନ୍ତି । ୧୫ଟି ଟେଷ୍ଟ ଡ୍ର କରିଛନ୍ତି ।
ତେବେ ବିଦେଶ ମାଟିରେ ଟେଷ୍ଟ ବିଜୟ ପାଇଁ ଦାଦା ସବୁଠାରୁ ଅଧିକ ପ୍ରଶଂସା ସାଉଁଟନ୍ତି । ଦେଶ ବାହାରେ ୨୮ଟି ମ୍ୟାଚ ଖେଳି ଦାଦା ୧୧ଟି ମ୍ୟାଚ୍ ଜିତିଥିବା ବେଳେ ୭ଟିକୁ ଡ୍ର ରଖିଛନ୍ତି । ତେବେ ଏସବୁ ବାଦ ୨୦୦୨ର ନାଟଓ୍ୱେଷ୍ଟ ସିରିଜ୍ ବିଜୟ, ବ୍ୟକ୍ତିଗତ ୧୮୩ ଓ ୨୦୦୩ ବିଶ୍ୱକପରେ ଫାଇନାଲ ପର୍ଯ୍ୟନ୍ତର ଯାତ୍ରା ସୌରଭଙ୍କୁ ଭାରତୀୟ କ୍ରିକେଟ୍ ଫ୍ୟାନଙ୍କ ଗହଣରେ ସ୍ୱତନ୍ତ୍ର କରିଛି । ୧୦ ହଜାର ରନ୍ କ୍ଲବରେ ମଧ୍ୟ ସୌରଭ ସାମିଲ ଅଛନ୍ତି । ଏକଦିବସୀୟରେ ୧୧୩୬୩ ଓ ଟେଷ୍ଟରେ ୭୨୧୨ ରନ୍ କରି ସୌରଭ ଭାରତୀୟ କ୍ରିକେଟ୍ ଜଗତରେ ଜଣେ ଆଗଧାଡିର କ୍ରିକେଟର ଭାବେ ଗଣା ହୁଅନ୍ତି ।